କେନ୍ଦ୍ରାପଡା: 20 ବର୍ଷ ପରେ ପୁଣି ରାଜ୍ୟରେ ଦେଖାଦେଇଥିଲା ମହାବାତ୍ୟାର ଅବିକଳ ନକଲ । ଘଣ୍ଟାପ୍ରତି ପ୍ରାୟ 200 କିଲୋମିଟରରୁ ଅଧିକ ବେଗରେ ପବନ ବୋହିବା ସହ ଆରମ୍ଭ ହୋଇଥିଲା ‘ଫନି’ର ତାଣ୍ଡବ । ଦେଖୁ ଦେଖୁ ନଷ୍ଟ ହୋଇଯାଇଥିଲା ଅନେକଙ୍କ ଘର । କ୍ଷଣିକରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା ଅନେକ ଅଞ୍ଚଳ । ଏପରି ସ୍ଥିତିରେ ଲକ୍ଷାଧିକ ଲୋକଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ରାଜ୍ୟ ସରକାର ।
ବାତ୍ୟାର ମାତ୍ର 24 ଘଣ୍ଟା ପୂର୍ବରୁ ଯୁଦ୍ଧାକାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ତେବେ ବର୍ବରତା ଓ ଅନ୍ୟାୟ ନିଷ୍ପତ୍ତି ପାଇଁ ଜଣା ଯାଉଥିବା କେନ୍ଦ୍ରାପଡା ପୋଲିସ ଏହି ସମୟରେ ଦେଖାଇଥିଲା ମାନବିକତାର ପ୍ରକୃତ ପରିଚୟ । ନିଜ ଖାକି ପୋଷାକର ଚାରି କାନ୍ଥ ଭିତରୁ ବାହାରି ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ପାଇଁ ବଢାଇଥିଲା ସହାୟତାର ହାତ । ଆଣ୍ଠୁଏ ଆଣ୍ଠୁଏ କାଦୁଅ ଭିତରେ ପଶି ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବା ସହ ଓ କୋଳେଇ ଆଣିଥିଲେ କୋମଳ ଶିଶୁଙ୍କୁ । ଏଦୃଶ୍ୟ କିଛି ଦେଖିବାକୁ ଯେତିକି ହୃଦୟସ୍ପର୍ଶୀ ଥିଲା ବାସ୍ତବରେ ସେତିକି ସଂଘର୍ଷଯୁକ୍ତ ରହିଥିଲା ।
ତାଳଚୁଆ ସାମୂଦ୍ରିକ ଥାନା ଆଇଆଇସି ଶ୍ରୀକାନ୍ତ କୁମାର ବାରିକଙ୍କ ଅଧିନରେ ସମୂଦ୍ରକୂଳ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିବାରେ ଲାଗି ପଡିଥିଲେ ପୂରା ଟିମ୍ । ବିନା କୌଣସି ପ୍ରଶ୍ନରେ ସଭିଏଁ ଲାଗି ପଡିଥଲେ ନିଜ କର୍ତ୍ତବ୍ୟ ନିଭାଇବାରେ । ଏପରି ସ୍ଥିତିରେ ବାଇକ ଧରି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ବୋହି ନେଇଥିଲେ ସମ୍ପୃକ୍ତ ଥାନାର ମହିଳା କନଷ୍ଟେବଳ ପ୍ରୀତିସ୍ମୀତା ପରିଡା । ଲଗାଣ ବର୍ଷା ଯୋଗୁଁ ସମୂଦ୍ରକୂଳିଆ ରାସ୍ତାରେ କାଦୁଅ ଜମିଥିବା ବେଳେ ଏହାକୁ ଟିକେ ବି ଖାତିର ନକରି ବାଇକରେ ଲୋକଙ୍କୁ ବୋହିବା ଆରମ୍ଭ କରିଥିଲେ ପ୍ରୀତିସ୍ମିତା ।
ବାତ୍ୟାର ବିଭୀଷିକା ସମୟରେ ନିଜ ଜୀବନର ଖାତିର ନକରି ପୋଲିସ ବାବୁଙ୍କୁ ମାନବିକତା ଦେଖି କିଛି ସମୟ ପାଇଁ ସ୍ଥାଣୁ ପାଲଟି ଯାଇଥିଲେ ସାଧାରଣ ଲୋକେ । ଅନ୍ୟପଟେ ସୁରକ୍ଷିତ ସ୍ଥାନକୁ ଯିବାକୁ ମନା କରୁଥିବା ବେଳେ ଅତି ଧୈର୍ଯ୍ୟର ସହ ଲୋକଙ୍କୁ ବୁଝାସୁଝା କରିଥିଲେ ପୋଲିସ ବାବୁ । ଯାହା ସୋସିଆଲ ମିଡିଆରେ ପାଲଟିଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ । ସେ ଆଇଆଇସି ବାବୁଙ୍କୁ 6 ମାସ ଛୁଆକୁ କାଖେଇ କାଦୁଅ ରାସ୍ତା ପାର ହେବା ଦୃଶ୍ୟ ହେଉ କି ପ୍ରୀତିସ୍ମିତାଙ୍କ ବାଇକରେ ଉଦ୍ଧାର କାର୍ଯ୍ୟ ହେଉ, ଏସବୁ ପାଲଟିଥିଲା ଚର୍ଚ୍ଚାର ବିଷୟ ।
କେବଳ ଯେ ଲୋକଙ୍କୁ ଉଦ୍ଧାର କରି ସେମାନଙ୍କ କର୍ତ୍ତବ୍ୟ ଶେଷ ହୋଇଯାଇଥିଲା ତାହା ନୁହେଁ, ବରଂ ପ୍ରତିଟି ବାତ୍ୟା ଆଶ୍ରୟସ୍ଥଳୀରେ ବୁଲି ବୁଲି ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ପୋଲିସ ବାବୁ । ସୂଚନା ଅନୁଯାୟୀ ଆଇଆଇସିଙ୍କ ନେତୃତ୍ବରେ ପ୍ରାୟ 2ହଜାରରରୁ ଉର୍ଦ୍ଧ୍ବ ଲୋକଙ୍କୁ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚା ଯାଇଥିଲା ।
ଏନେଇ କେନ୍ଦ୍ରାପଡା ଏସ୍ପିଙ୍କ କହିବା ଅନୁଯାୟୀ ତାଳଚୁଆ ସାମୂଦ୍ରିକ ଥାନା ଅଧିକାରୀଙ୍କ କାର୍ଯ୍ୟ ନିଶ୍ଚୟ ପ୍ରଶଂସା ଯୋଗ୍ୟ । ତେଣୁ ଭବିଷ୍ୟତରେ ସେମାନଙ୍କୁ ଉଚିତ୍ ସମୟରେ ପୁରସ୍କୃତ କରାଯିବ ନିଶ୍ଚୟ । ତେଣେ ଲୋକଙ୍କ ସେବା ଆମର ମୁଖ୍ୟ ଲକ୍ଷ୍ଯ ହୋଇଥିବାରୁ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ । ବରଂ ଏହା ସେମାନଙ୍କର କର୍ତ୍ତବ୍ୟ ହିଁ ଥିଲା ଯାହା ସେମାନେ ବେଶ୍ ଭଲ ଭାବେ ସମ୍ପୂର୍ଣ୍ଣ କରିଛନ୍ତି ।
ତାଳଚୁଆ ପୋଲିସ ଓ ଜିଲ୍ଲାର ଥାନାମାନଙ୍କ ପକ୍ଷରୁ ‘ଫନି’ରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାକୁ ରିଲିଫ ପଠାଇ ସୃଷ୍ଟି କରିଛନ୍ତି ଏକ ନୂଆ ଉଦାହରଣ । ଏଥିସହ ମାନବିକତାର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିବାରୁ ସାଧାରଣ ଜନତାଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି ପୋଲିସ ବାବୁ ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ