କେନ୍ଦ୍ରାପଡା: ରାଜ୍ୟରେ ଉପରମୁହାଁ ହୋଇଛି କୋରୋନା ସଂକ୍ରମଣ । କଟକ ଓ ଭୁବନେଶ୍ବରରେ ସଂକ୍ରମଣ ବୃଦ୍ଧି ପାଇବାରୁ ଏନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ସେହିପରି ବଢୁଥିବା କୋରୋନା ସଂକ୍ରମଣକୁ ନେଇ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ କରାଯାଇଛି । ସହର ତୁଳନାରେ ଜିଲ୍ଲାରେ ସଂକ୍ରମଣ କମ ଥିଲେ ସୁଦ୍ଧା ଜନଗହଳି ପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ ।
କେନ୍ଦ୍ରାପଡ଼ା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାରେ ମୋଟ ଟୀକାକରଣର ରିପୋର୍ଟ ପ୍ରଦାନ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଜିଲ୍ଲାରେ ମୋଟ 12 ରୁ 14 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ମଧ୍ୟରୁ ପ୍ରଥମ ଡୋଜ 94ପ୍ରତିଶତ, ଦ୍ୱିତୀୟ ଡୋଜ 75 ପ୍ରତିଶତ ଦିଆଯାଇଛି ।
ସେହିପରି 15 ରୁ 18 ବର୍ଷ ବୟସ କିଶୋରମାନଙ୍କ ମଧ୍ୟରୁ ପ୍ରଥମ ଡୋଜ 85 ପ୍ରତିଶତ, ଦ୍ୱିତୀୟ ଡୋଜ 81 ପ୍ରତିଶତ ଏବଂ 18 ବର୍ଷରୁ ଅଧିକ ଯୁବକମାନଙ୍କ ମଧ୍ୟରୁ ପ୍ରଥମ ଡୋଜ 92 ପ୍ରତିଶତ, ଦ୍ୱିତୀୟ ଡୋଜ 89 ପ୍ରତିଶତ ଦିଆଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା କଟକ, ଭୁବନେଶ୍ୱର ସହର ଠାରୁ କମ୍ ରହିଛି ।
ଜିଲ୍ଲାରେ ଅଧିକରୁ ଅଧିକ ଟେଷ୍ଟିଙ୍ଗ, ଅଧିକ ମେଡିକାଲ ଯନ୍ତ୍ରାଂଶ ଏବଂ ମେଡିକାଲ ଟିମ ବଢାଇବା ସହ ଜନଗହଳି ସ୍ଥାନରେ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯିବା ନେଇ ଜିଲ୍ଲାପାଳ ଅମ୍ରିତ ଋତୁରାଜ ନିର୍ଦ୍ଦେଶ ଦେଇଛନ୍ତି ।