କେନ୍ଦ୍ରାପଡ଼ା: କ୍ଲିନିକରେ ଲାଗିଛି ରୋଗୀଙ୍କ ଭିଡ଼ । ରୋଗୀଙ୍କଠାରୁ ରୋଗ ବିଷୟରେ ଟିକିନିଖି ବୁଝୁଛନ୍ତି ଡାକ୍ତର, ଆଉ ଡାକ୍ତରଙ୍କ ଫିସ୍ ବାବଦକୁ ଦେବାକୁ ପଡୁଛି ମାତ୍ର ଗୋଟିଏ ଟଙ୍କା । ବର୍ତ୍ତମାନ ଔଷଧର ମୂଲ୍ୟ ବଜାରରେ ଢେର ଅଧିକ ଥିବାବେଳେ ଏଠାରେ ଏକ ଟଙ୍କା ଦେଇ ଔଷଧ ନେଇଥିଲେ ରୋଗୀ । ସମ୍ବଲପୁର ଭୀମସାର, ବୁର୍ଲାର ମେଡ଼ିସିନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ତଥା ଗରୀବ ଲୋକଙ୍କ ପାଇଁ ଭଗବାନ ସାଜିଥିବା ଡାକ୍ତର ଶଙ୍କର ରାମଚନ୍ଦନୀ । ରାଜ୍ୟର ବିଭିନ୍ନ ସ୍ଥାନ ଯେମିତିକି ବରଗଡ଼, ନୂଆପଡା, ବଲାଙ୍ଗୀର ଓ ସମ୍ବଲପୁର ଅଞ୍ଚଳର ରୋଗୀଙ୍କୁ ମାତ୍ର ଟଙ୍କାଟିଏ ମୂଲ୍ୟରେ ଚିକିତ୍ସା କରି ପ୍ରଶଂସା ସାଉଁଟିଥିବା ଡ଼ଃ ରାମଚନ୍ଦାନୀ ଉପକୂଳବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ କରିଛନ୍ତି ଟଙ୍କିକିଆ ସ୍ୱାସ୍ଥ୍ୟସେବା ।
ଏହା ମଧ୍ୟ ପଢ଼ନ୍ତୁ: ମଝି ସମୁଦ୍ରରେ ମରଣ ମୁହଁରୁ ବଞ୍ଚିଲେ ମିଆଁମାର ନାବିକ, ଦେବଦୂତ ସାଜିଲା ଭାରତୀୟ ତଟରକ୍ଷୀ ବାହିନୀ
ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆରମ୍ଭ ହୋଇଥିବା ଏହି ଟଙ୍କିକିଆ କ୍ଲିନିକ ଶିବିରରେ ଅନ୍ୟୁନ ୨୦୦ ରୋଗୀଙ୍କ ସମାଗମ ହୋଇଥିଲା । ଏକ ଟଙ୍କା ଡାକ୍ତର ଫିସ୍ ସାଙ୍ଗକୁ ଟଙ୍କାଟିଏ ବିନିମୟରେ ଔଷଧ ପାଇଥିବାରୁ ରୋଗୀମାନେ ବି ବେଶ୍ ଖୁସି । ଟଙ୍କିକିଆ କ୍ଲିନିକର ପରିକଳ୍ପନା ନେଇ ଡ଼ଃ ରାମଚନ୍ଦାନୀଙ୍କୁ ପଚାରିବାରୁ ସେ ମାନବ ସେବାକୁ ମାଧବ ସେବା ଭାବି କାମ କରୁଛନ୍ତି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, " ଡାକ୍ତରୀ ଚାକିରି ପାଇଁ ରାଜ୍ୟ ସରକାର ଆବଶ୍ୟକ ପରିମାଣର ଦରମା ପ୍ରଦାନ କରୁଛନ୍ତି । ତେଣୁ ଗରିବ ଲୋକଟିର ସେବା କରିବା ପାଇଁ ଏହି ଟଙ୍କିକିଆ କ୍ଲିନିକ ଖୋଲିଛି ।" ପିଲାଦିନୁ ଗରିବୀକୁ ପାଖରୁ ଦେଖିଥିବାରୁ ସେ ଗରିବ ଲୋକମାନଙ୍କ ଦୁଃଖ ସହ ପରିଚିତ ବୋଲି କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ONE RUPEE CLINIC: ପୁଣି ଚର୍ଚ୍ଚାରେ ଡାକ୍ତର ରାମଚନ୍ଦାନୀ, ଏଥର ଟଙ୍କାକରେ ଦେବେ ମେଡିସିନ୍
ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଡ଼ଃ ରାମଚନ୍ଦାନୀଙ୍କ ସେବା ସମ୍ପର୍କରେ ଜାଣି କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ସମ୍ବଲପୁରରେ ସମ୍ବର୍ଦ୍ଧିତ କରିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଟଙ୍କିକିଆ କ୍ଲିନିକ ଖୋଲିବା ପାଇଁ ଅନୁରୋଧ କରିଥିଲେ । ଏଥିରେ ଡାକ୍ତର ମଧ୍ୟ ରାଜି ହୋଇଯାଇଥିଲେ । ତେଣୁ ପ୍ରତ୍ୟେକ ମାସରେ ଡ଼ଃ ରାମଚନ୍ଦାନୀ ଆସି କେନ୍ଦ୍ରାପଡ଼ାରେ ରୋଗୀସେବା କରିବାକୁ କହିଛନ୍ତି । ମାନବ ସେବା ପାଇଁ ଅର୍ଥ ଯେ ସବୁକିଛି ନୁହେଁ ତାହା ପ୍ରମାଣିତ କରିଛନ୍ତି ସମ୍ବଲପୁରର ଏହି ଡାକ୍ତର ଜଣକ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା