କେନ୍ଦ୍ରାପଡା: ଜିଲ୍ଲାରେ ସୋମବାରଠୁ ଖୋଲିଛି ଧାନମଣ୍ଡି । ଚଳିତ ବର୍ଷ ଖରିଫ ଫସଲ ନିମନ୍ତେ ନିୟନ୍ତ୍ରିତ ବଜାର କମିଟି ପରିସରରେ ଜିଲ୍ଲା ସ୍ତରୀୟ ଧାନମଣ୍ଡିର ଉଦଘାଟନ ହୋଇଛି ।
ଉଦଘାଟିତ ମଣ୍ଡିରେ ପଞ୍ଜିକୃତ ଚାଷୀ ସେମାନଙ୍କ ଧାନ ବିକ୍ରି କରିପାରିବେ । ନୂଆ ବର୍ଷଠାରୁ ଧାନ ସଂଗ୍ରହ ପାଇଁ ଜିଲ୍ଲାରେ 118ଟି ପ୍ରାଥମିକ ସେବା ସମବାୟ ସମିତିରେ ଧାନ ମଣ୍ଡି ଖୋଲାଯାଇଛି । ଖରିଫ ଧାନ ସଂଗ୍ରହ ପାଇଁ ଧାନର ମାନ ସର୍ବନିମ୍ନ ସହାୟକ ମୂଲ୍ୟ,ବିକ୍ରୟ ଦିନ ଓ ସେବା ସମବାୟ ସମିତିର ନାମ ମେସେଜ ମାଧ୍ୟମରେ ଚାଷୀଙ୍କୁ ସୂଚନା ଦିଆଯିବ ।
ଚଳିତ ବର୍ଷ ପ୍ରଥମ ପର୍ଯ୍ୟାୟରେ ୮୦ହଜାର ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଜିଲ୍ଲାରେ ୪୧ ହଜାର ୫୬୮ ଜଣ ଚାଷୀ ନାମ ପଞ୍ଜିକରଣ ହୋଇଛି । ଧାନ କ୍ରୟ ପାଇଁ ୨୪ ଜଣ ମିଲରଙ୍କୁ ନିଯୁକ୍ତି ଦିଆଯାଇଛି। ମଣ୍ତିକୁ ସପ୍ତାହରେ ପଞ୍ଚଦିନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ମଣ୍ଡିରେ କୋରୋନାର ସମସ୍ତ କଟକଣାକୁ ପାଳନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଲ ।
ଏହି ଉଦଘାଟନୀ ଉତ୍ସବରେ ବିଭିନ୍ନ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ଧାନ ସଂଗ୍ରହରେ କୌଣସି ପ୍ରକାର ଅନିୟମିତତା ପରିଲକ୍ଷିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ