କେନ୍ଦ୍ରାପଡ଼ା: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ରାଜନଗର ବନଖଣ୍ଡରେ ଚଳିତବର୍ଷ କୁମ୍ଭୀର ବସା ଗଣନା ( Crocodile nest counting) ଶେଷ ହୋଇଛି । ଚଳିତବର୍ଷ ରେକର୍ଡ ସଂଖ୍ୟକ ୧୨୨ଟି ବସା ଚିହ୍ନଟ କରାଯାଇଛି । ଗତବର୍ଷ ୮୪ଟି ବସା ଚିହ୍ନଟ କରାଯାଇଥିବା ବେଳେ ଚଳିତବର୍ଷ ୧୨୨ଟି ବସା ଚିହ୍ନଟ କରାଯାଇଛି । ଗତବର୍ଷ ତୁଳନାରେ ଚଳିତବର୍ଷ ୩୮ଟି ବସା ବୃଦ୍ଧି ଘଟିଥିବା ସୂଚନା ଦେଇଛନ୍ତି ଅଧିକାରୀ ।
କନିକା ରେଞ୍ଜରେ ସର୍ବାଧିକ ୧୧୦ଟି ବସା ରହିଥିବାବେଳେ ରାଜନଗରରେ ୯ଟି, ଗହିରମଥାରେ ୨ଟି, ମହାକାଳପଡ଼ାରେ ସର୍ବନିମ୍ନ ଗୋଟିଏ ବସା ଚିହ୍ନଟ କରାଯାଇଛି । ଚଳିତବର୍ଷ ରେକର୍ଡ ସଂଖ୍ୟକ ବସା ଚିହ୍ନଟ କରାଯାଇଥିବାରୁ ପରିବେଶବିତ୍ ମାନେ ଖୁସି ବ୍ୟକ୍ତ କରିଛନ୍ତି । କୁମ୍ଭୀର ମାନଙ୍କ ପ୍ରଜନନ ଶେଷ ହେବା ପରେ ନଦୀ ଜୁଆର ମାଡୁନଥିବା ଉଚ୍ଚା ସ୍ଥାନରେ ମା' କୁମ୍ଭୀର ହେନ୍ତାଳ ଓ ଖରଖରି ପତ୍ରରେ ବସା କରି ଅଣ୍ଡାଦାନ କରିଥାଏ ।
ଗୋଧି ସରୀସୃପ ଅଣ୍ଡା ନଷ୍ଟ କରିବାର ସମ୍ଭାବନା ଥିବାରୁ ମା' କୁମ୍ଭୀର ଅଣ୍ଡାରୁ ଛୁଆ ଫୁଟିବା ପର୍ଯ୍ୟନ୍ତ ବସାକୁ ଜଗି ରହିଥାଏ । ଏହି ସମୟରେ କୁମ୍ଭୀର ଅଧିକ ହିଂସ୍ର ହେଉଥିବାରୁ ପର୍ଯ୍ୟଟକ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭିତରକନିକା ଜାତୀୟ ଉଦ୍ୟାନକୁ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ୩ ମାସ ପର୍ଯ୍ୟନ୍ତ ବନ୍ଦ ରଖାଯାଇଥାଏ ।
ଇଟିଭି ଭାରତ, କେନ୍ଦ୍ରାପଡ଼ା