କେନ୍ଦ୍ରାପଡା: ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିତି ସମର୍ଥନରେ ବାହାରିଲା ମାର୍କସବାଦୀ କମ୍ୟୁନିଟି ପାର୍ଟି ବା CPIM । ନିର୍ବାଚିତ ସରକାର ଲୋକମାନଙ୍କ ସହ ସିଧାସଳଖ ଆଲୋଚନା ନକରି ପୋଲିସ ଲଗାଇ ଦମନମୂଳକ ନୀତି ଆପଣାଇ ନିରୀହ ଲୋକମାନଙ୍କୁ ଗିରଫ କରିଥିବା ଅଭିଯୋଗ କରିଛି ଏହି ଦଳ ।
ଲୋକତନ୍ତ୍ରରେ ଲୋକଙ୍କ ସହ ବୁଝାମଣା ପରିବର୍ତ୍ତେ କମ୍ପାନୀ ସହ ରାଜ୍ୟ ସରକାର ବୁଝାମଣା କରିଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ଉପକୂଳ ଓଡିଶାରେ ୪୮୦ କିଲୋମିଟର ସମୁଦ୍ରକୂଳକୁ ରାଜ୍ୟ ସରକାର ବିକ୍ରି କରିଥିବା ଅଭିଯୋଗ କରି ଖରସ୍ରୋତା ପାଣି ବିକ୍ରି ପାଇଁ ସରକାର ଯେଉଁ ଯୋଜନା କରିଛନ୍ତି ସେଥିରେ ତାଙ୍କୁ ସଫଳ କରାଇ ଦିଆଯିବ ନାହିଁ ବୋଲି ଦଳ କହିଛି । ଏଥିସହ ଭିତରକନିକା ସାରା ବିଶ୍ୱରେ ବିରଳ ହେନ୍ତାଳବଣ ପାଇଁ ପ୍ରସିଦ୍ଧି ଲାଭ କରିଛି । ଏହାର ଜୈବ ବିବିଧତାକୁ ରକ୍ଷା କରିବା ସମସ୍ତଙ୍କ କର୍ତ୍ତବ୍ୟ ।
ତେଣୁ ଦଳମତ ନିର୍ବିଶେଷରେ ସମସ୍ତେ ଖରସ୍ରୋତା ପାଇଁ ସ୍ୱର ଉଠାଇ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଦଳର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଜନାର୍ଦ୍ଦନ ପତି । ଆଜି(ଶନିବାର) ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଖରସ୍ରୋତା ଓ ଭିତରକନିକା ପାଇଁ ହେଉଥିବା ଆନ୍ଦୋଳନକୁ ନିସର୍ତ୍ତ ସମର୍ଥନ କରିବା ସହ ସର୍ବସାଧାରଣଙ୍କୁ ଏଥିରେ ସାମିଲ୍ ହେବାକୁ ଆହ୍ବାନ କରିଛି ଦଳ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ