କେନ୍ଦ୍ରାପଡା: ପରିବାର ଦର ଆକାଶ ଛୁଆଁ । ଯାହାକୁ ନେଇ ସାଧାରଣରେ ଅସନ୍ତାଷ ବୃଦ୍ଧି ପାଉଛି । ଏହାର ସିଧାସଳଖ ପ୍ରଭାବ ପଡୁଛି ସାଧାରଣ ଓ ଗରିବ ଶ୍ରେଣୀର ଲୋକମାନଙ୍କ ଉପରେ । ଏନେଇ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ.) କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆକାଶ ଛୁଆଁ ଦରବୃଦ୍ଧିର ପ୍ରତିବାଦ କରାଯାଇଛି। ବର୍ତ୍ତମାନ ସମୟରେ ପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଡାଲି, ତେଲ, ପେଟ୍ରୋଲ, ଡିଜେଲ ଓ ପାଠ ପଢିବା ପାଇଁ ଆବଶ୍ୟକ ସାଧା କାଗଜ ପ୍ରଭୃତିର ଦରଦାମ ବୃଦ୍ଧି ପାଇଛି । ଆକାଶ ଛୁଆଁ ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ନିର୍ବାହରେ ପ୍ରତିବନ୍ଧକ ସାଜିଥିବାରୁ ଏହାର ପ୍ରତିବାଦ କରାଯାଇଛି ।
ବର୍ତ୍ତମାନ ଶ୍ରାବଣ ମାସ ହୋଇଥିଲେ ସୁଦ୍ଧା ଜଳସେଚନ ବିଭାଗର ଅଦୁରଦର୍ଶିତା ପାଇଁ ନଦୀରେ ପାଣି ବହି ଯାଉଥିବା ବେଳେ ସେହି ପାଣିକୁ କେନାଲ ଦ୍ୱାରା ଆଣି ଚାଷୀଙ୍କୁ ଯୋଗାଇ ଦିଆଯାଇ ପାରୁନାହିଁ । ଯେଉଁଥି ପାଇଁ ଚାଷୀମାନେ ଧାନ ତଳି ପକାଇବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ କେନାଲ ମାଧ୍ୟମରେ ପାଣି ଯୋଗାଇ ଦିଆଯାଉନାହିଁ। ଜଳସେଚନ ବିଭାଗର କେନାଲ ସଫେଇ କାର୍ଯ୍ୟ ବର୍ତ୍ତମାନ ସୁଧା ଚାଲିଛି। ଖରା ୫ ମାସ ମଧ୍ୟରେ ଉକ୍ତ କାର୍ଯ୍ୟଗୁଡିକ ଶେଷ ହୋଇପାରି ନାହିଁ । ଯାହାର ସମାଧାନ ପାଇଁ ସି.ପି.ଆଇ. ଜିଲ୍ଲା କମିଟି ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ୬ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁୃ- ଆକାଶ ଛୁଆଁ ପରିବା ଦର, ଅସନ୍ତୋଷ ଖାଉଟି
ତେବେ ଉକ୍ତ ଦାବିଗୁଡିକ ମଧ୍ୟରେ ତୁରନ୍ତ ଅଦା, ପିଆଜ, ରସୁଣ, ବିଲାତି ସହିତ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥର ଦରଦାମ ନିୟନ୍ତ୍ରଣ କରାଯିବା, କେନ୍ଦ୍ରାପଡା ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ସରକାର ତୁରନ୍ତ ୨ ହଜାର ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ନିର୍ମାଣ କରିବା, କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଗହଗା ପାଟରୁ ପାଣି ନିଷ୍କାସନ କରିବା ପାଇଁ ବ୍ୟବସ୍ଥା କରିବା, ଚାଷ କାମ ପାଇଁ ତଳି ପକାଇବା ଅତ୍ୟନ୍ତ ଜରୁରୀ ହୋଇଥିବାରୁ ଏବଂ ପାଣିପାଗ ବିଳମ୍ବ ହେଉଥିବା ଯୋଗୁଁ ଶୀଘ୍ର କେନାଲରେ ପାଣି ଛଡାଯିବା, ଭାଗ ଚାଷୀମାନଙ୍କ ନାମ ପଞ୍ଜିକରଣ କରି ତାଙ୍କଠାରୁ ଧାନ କିଣା ଯିବା ଓ ହରିଦାସପୁର-ପାରାଦୀପ ରେଳ ଲାଇନରେ ତୁରନ୍ତ ଯାତ୍ରୀବାହୀ ରେଳ ଚଳାଚଳ କରିବା ପ୍ରଭୃତି ଦାବି ଗୁଡିକ ରହିଛି । CPI ଜିଲ୍ଲା ସମ୍ପାଦକ ଆଡଭୋକେଟ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସହ ସମ୍ପାଦକ ଆଦିକନ୍ଦ ରାଉଳ, ଆଳି-ରାଜକନିକା ଜୋନ ସମ୍ପାଦିକା ସୋହାନା ବେଗମ, ନିରଞ୍ଜନ ଦାଶ, ସଞ୍ଜୟ ବସନ୍ତିଆ, ସଂଯୁକ୍ତା ରାଉତ, କନକଲତା ଦାସ, ହରେକୃଷ୍ଣ ମାଝି ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, କେନ୍ଦ୍ରାପଡା