କେନ୍ଦ୍ରାପଡା: ସହପାଠିନୀର ମାୟାଜାଲରେ ଛନ୍ଦି ହୋଇ ଫସିଗଲେ ନାବାଳିକା ଛାତ୍ରୀ। ନିଶା ଦେଇ କଲେଜ ଛାତ୍ରୀଙ୍କୁ ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା କୁଦାନଗରୀ ଥାନା ଅନ୍ତର୍ଗତ କୋରୁଆରେ । ଏକ ସରକାରୀ କଲେଜର ପାଠ ପଢୁଥିବା ଯୁକ୍ତ ୨ ଦ୍ୱିତୀୟ ବର୍ଷର ଜଣେ ଛାତ୍ରୀଙ୍କୁ ନିଶା ଦେଇ କଲେଜ ପରିସରରୁ ଅପହରଣ କରିବା ପରେ ଏକ ରୁମ୍ରେ ଘଣ୍ଟା ଘଣ୍ଟା ବନ୍ଦୀ କରି ରଖାଯିବା ପରେ ଦୁଇ ଅଭିଯୁକ୍ତ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏଥିରେ ବାରଣ କରିବାରୁ ନାବାଳିକାଙ୍କୁ ନିର୍ଦ୍ଧୁମ ମାଡ଼ ମାରି ଗୁରୁତର କରି ଦେଇଥିଲେ ଅଭିଯୁକ୍ତ । ଏହାପରେ ଛାତ୍ରୀଜଣଙ୍କ ଚେତାଶୂନ୍ୟ ହୋଇଯିବାରୁ ତାଙ୍କ ସହିତ କଣ ଘଟିଛି ସେ ଜାଣି ପାରିନଥିବା ନେଇ କୁଦାନଗରୀ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ପୋଲିସ ଏହି ଘଟଣାରେ ତଦନ୍ତ କରି ଜଣଙ୍କୁ ଅଟକ ରଖିଛି । କେଲଜର ଦୁଇ ଅଧ୍ୟାପକ ମଧ୍ୟ ସାମିଲ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି ।
ଅଭିଯୋଗ ଅନୁଯାୟୀ, ଗତ ୧୭ ତାରିଖ କଲେଜର ସ୍ଵାଗତ ଉତ୍ସବ ରହିଥିଲା । ଛାତ୍ରୀଜଣଙ୍କ କଲେଜ ଆଉ କୋଚିଂ ସେଣ୍ଟର ଯାଇଥିଲେ । ଏହି ସମୟରେ ତାଙ୍କର ଜଣେ ସହପାଠିନୀ ସହ ଦେଖା ହୋଇଥିଲା । ସେ ପୀଡ଼ିତାଙ୍କୁ ତାଙ୍କ ପରିଚିତ ଦୁଇଭାଇଙ୍କ ସହ ବୁଲିବାକୁ ଯିବାକୁ କହିଥିଲେ । ତାଙ୍କର ଦୁଇଜଣ ଭାଇ କାର ନେଇ ଆସିବେ ଆଉ ମଜା କରି ବିଭିନ୍ନ ସ୍ଥାନକୁ ବୁଲିବାକୁ ଯିବା ବୋଲି ସହପାଠିନୀ କହିଥିଲେ । ହେଲେ ପୀଡ଼ିତା ଜଣକ ମନା କରି କଲେଜ କମନ ରୁମରେ ନିଜ କୋଚିଂ ଆଉ କଲେଜ ପାଠ କରିବା ଆରମ୍ଭ କରିଥିଲେ ।
ଏହା ମଧ୍ୟ ପଢନ୍ତୁ-4 ମାସ ତଳେ ଅପହରଣ କରି ବିବାହ କରିଥିଲେ, ମାରିକି ପୋଡି ଦେଲେ ଶାଶୁଘର !
ପାଠ ଶେଷ କରି ବସିଥିବା ବେଳେ ପୂର୍ବାହ୍ନ ୧୧ଟା ବେଳେ ପୁଣିଥରେ ସହପାଠିନୀ ତାଙ୍କ ନିକଟରେ ପହଞ୍ଚି ଏକ ପ୍ଲାଷ୍ଟିକ ଗ୍ଲାସରେ ପୀଡ଼ିତାଙ୍କୁ ଥଣ୍ଡା ପିଇବାକୁ ଦେଇଥିଲେ । ଏହି ଥଣ୍ଡା ପାନୀୟ ପିଇବା ପରେ ଛାତ୍ରୀ ଜଣକ ଚେତାଶୂନ୍ୟ ହୋଇଥିଲେ । କିଛି ଘଣ୍ଟା ପରେ ଚେତା ଫେରିବାରୁ ଏକ ବନ୍ଦ କୋଠରୀରେ ସେ ନିଜକୁ ପାଇଥିଲେ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ସେହି କୋଠରୀରେ ଦୁଇ ଜଣ ଯୁବକ ଏବଂ ତାଙ୍କ ସହପାଠିନୀ ଉପସ୍ଥିତ ଥିବା ଦେଖିବାକୁ ପାଇଥିଲେ ଓ ଏହି ସମୟରେ ଯୁବକ ଦ୍ୱୟ ତାଙ୍କୁ ଅସଦାଚରଣ ଉଦ୍ୟମ କରୁଥିଲେ।
ସେ ଚିତ୍କାର କରିବା ସହ ନିଜକୁ ବଞ୍ଚାଇବାକୁ ଅନେକ ଚେଷ୍ଟା କରିଥଲେ । ହେଲେ ତାଙ୍କ ସହପାଠିନୀ ତାଙ୍କର ଦୁଇଟି ଗୋଡକୁ ମାଡ଼ି ବସି ଧରିଲେ ଓ ଅଭିଯୁକ୍ତ ଦ୍ବୟ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । ନାବାଳିକା ଛାତ୍ରୀ ପ୍ରବଳ ବିରୋଧ କରିବାରୁ ଅଭିଯୁକ୍ତମାନେ ରାଗିଯାଇ ତାଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଏହାପରେ ସନ୍ଧ୍ୟା ୭ଟା ବେଳେ କାରରେ ପୀଡ଼ିତାଙ୍କୁ ନେଇ ନରେନ୍ଦ୍ରପୁର ପୋଲ ପାଖରେ ଫୋପାଡ଼ି ଦେଇଥିଲେ । ତାଙ୍କୁ ମାଡ଼ ହୋଇଥିବାରୁ ତାଙ୍କ ଶରୀରର ଅନେକ ସ୍ଥାନ ଆଘାତ ଲାଗିଥିଲା । ମୁହଁ ଫୁଲି ଯିବାରୁ ସେ ଆଉ କଥାବାର୍ତ୍ତା କରି ପାରିନଥିଲେ l ଅନେକ ସମୟ ସେଠାର ପଡ଼ି ରହିଥିଲେ l
ଏନେଇ ଖବର ପାଇ ତାଙ୍କ ପରିବାର ସଦସ୍ୟ ଅଚେତ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରି ରାତି ପାଟକୁରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏହାପରେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ବାପାମାଙ୍କ ପରାମର୍ଶ କ୍ରମେ ନ୍ୟାୟ ପାଇବା ଆଶାରେ କୁଦାନଗରୀ ଥାନାରେ ସେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିଛି l ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି।
ଏନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ, ଘଟଣା ଏବେ ଭିନ୍ନମୋଡ ନେଇଛି । ଏହି ଘଟଣାରେ ଦୁଇ ଜଣ ଅଧ୍ୟାପକ ସାମିଲ ଥିବା ନେଇ ତଦନ୍ତରୁ ଜଣାପଡ଼ିଛି । ନାବାଳିକାକୁ ପୋଲିସ ନିଜ ହେପାଜତକୁ ନେଇଛି। ତାଙ୍କର ବୟାନ ରେକର୍ଡ ମଧ୍ଯ କରାଯାଇଛି । ଏଥିରେ ସାମିଲ ଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘଟଣାକୁ ଏସ୍ପିଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।
ଇଟିଭି ଭାରତ, କେନ୍ଦ୍ରାପଡା