କେନ୍ଦ୍ରାପଡ଼ା: ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଅଷ୍ଟ୍ରେଲିଆନ କୋଇଲା ଚୋରା କାରବାର । ଜଳପଥରେ ଆସୁଥିବା ଏହି ବହୁମୂଲ୍ୟ କୋଇଲାକୁ କୌଣସି ଉପାୟରେ ଚୋରାଇ ଆଣି ରାଜ୍ୟର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ ରାଜ୍ୟ ବାହାରକୁ ଚଢା ଦରରେ ବିକ୍ରି କରୁଛନ୍ତି ଚୋରା କୋଇଲା ମାଫିଆ । ଯାହାର କିଞ୍ଚିତ ଟେର ପାଉନି ପୋଲିସ । ଅନ୍ୟପଟେ ଶନିବାର ଦିନ ଏହି କୋଇଲା ବୋଝେଇ ତିନୋଟି ପିକ ଅପ ଭ୍ୟାନକୁ ଜବତ କରି ଓଭରଲୋଡିଂ ଦର୍ଶାଇ କେନ୍ଦ୍ରାପଡା ପରିବହନ ବିଭାଗ ଏକ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଚାଲାଣ କାଟି ଛାଡି ଦେଇଥିବା ବେଳେ ଏ ସମ୍ପର୍କରେ ପୋଲିସକୁ ସୂଚନା ନଦେବା ଘଟଣାର ମୋଡ଼ ବଦଳାଇଛି ।
ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରୁ ମିଳୁଥିବା ଏହି କୋଇଲା ବିଭିନ୍ନ ଶିଳ୍ପାନୁଷ୍ଠାନରେ ବ୍ୟବହୃତ ହୋଇଥାଏ । ଭାରତରେ ମିଳୁଥିବା କୋଇଲା ଠାରୁ ଏହା ଖୁବ କମ ପାଉଁଶ ନିର୍ଗମନ କରୁଥିବା ହେତୁ ଏହାର ଚାହିଦା ଭାରତରେ ବହୁତ ରହିଛି । ଚୀନ ପରେ ଅଷ୍ଟ୍ରେଲିଆ ହେଉଛି ଦ୍ଵିତୀୟ ଦେଶ ଯାହାର କୋଇଲାର ଆଦର ରହିଛି । ତେବେ ଗତ ମେ ମାସ ୮ ତାରିଖ ରାତିରେ ପୋଲିସ ଦଳକୁ ଗାଡି ମଡ଼ାଇ ମାରିଦେବାକୁ ଉଦ୍ୟମ କରିଥିବା ଏହି ମାଫିଆ ଗ୍ୟାଙ୍ଗର ମାତ୍ର ୫ ଜଣଙ୍କୁ ଗିରଫ କରି ପୋଲିସ ଚୁପ ବସିଥିବା ବେଳେ କୋଇଲା ମାଫିଆଙ୍କ ଚେର ଯେ କେତେ ଦୂର ଲମ୍ବିଛି ସେନେଇ ଦ୍ଵନ୍ଦ ନାହିଁ । ଏହି ଚୋରା ବ୍ୟବସାୟର ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ଆଳି ଓ ଜିଲ୍ଲା ପୋଲିସ ରାତିଦିନ ଏକାକାର କରିଛି । ହେଲେ ୧୫ ଦିନ ପରେ ମଧ୍ୟ ପୋଲିସର ହାତ ଖାଲି ।
ଏହା ମଧ୍ୟ ପଢ଼ନ୍ତୁ: ବନ୍ଦରରୁ ଚୋରି ହୋଇ ଚାରିଆଡକୁ ରପ୍ତାନୀ ଚାଲିଥିଲା ଅଷ୍ଟ୍ରେଲିଆନ କୋଇଲା, ମାଡିବସିଲା ପୋଲିସ
ଆଇନଜୀବୀ ବିଧୁଭୂଷଣ ମହାପାତ୍ରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, "ଏହି କୋଇଲା ଗ୍ୟାଙ୍ଗ ମାଫିଆ ମାନଙ୍କର ମୁଖା ଖୋଲିଲେ ରାଜ୍ୟ ଓ ଦେଶର ସମ୍ପତ୍ତି ସୁରକ୍ଷିତ ରହିପାରନ୍ତା । କିନ୍ତୁ ପୋଲିସ ଏ ଦିଗରେ ସମ୍ପୂର୍ଣ୍ଣ ନୀରବ ରହିବା ଘଟଣାର ଗୁରୁତ୍ବକୁ ବଢ଼ାଉଛି । ଅନ୍ୟପଟେ ଆଳି ହେଉଛି ରାଜ୍ୟ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ପ୍ରତାପ ଦେବଙ୍କ ନିର୍ବାଚନ ମଣ୍ଡଳୀ ଓ ଏହି ନିର୍ବାଚନ ମଣ୍ଡଳୀର ନିଆଳ ହାଟ ଏକ ଜନଗହଳି ସ୍ଥାନ ହୋଇଥିବା ବେଳେ ଏଠାରେ ଦିନଦିନ ଧରି କୋଇଲା ମହଜୁଦ ରହିବା ଓ ପୋଲିସ ନ ଜାଣିପାରିବା ଏକ ଭିନ୍ନ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।"
ଇଟିଭି ଭାରତ, କେନ୍ଦ୍ରାପଡ଼ା