କେନ୍ଦ୍ରାପଡ଼ା: ବିଦ୍ୟାଳୟରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଅବହେଳା ଯୋଗୁଁ ପ୍ରଥମ ଶ୍ରେଣୀ ଛାତ୍ରର ଆଙ୍ଗୁଳି କାଟିବାକୁ ପଡିଛି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା କେୟାରବାଙ୍କ ସ୍ଥିତ ପଞ୍ଚାୟତ ସରକାରୀ ଉନ୍ନୀତ ଉପ୍ରା ବିଦ୍ୟାଳୟରୁ ଏଭଳି ଏକ ଅଭିଯୋଗ ଆସିଛି । କେୟାରବାଙ୍କ ଗ୍ରାମର ତପନ ମଳିକଙ୍କ ଛଅ ବର୍ଷର ପୁଅ ଶାଶ୍ଵତ ଗଣେଶ ପୂଜା କରିବା ପାଇଁ ଯାଇଥିଲେ । ବିଦ୍ୟାଳୟରେ ଖେଳକୁଦ କରୁଥିବା ସମୟରେ କବାଟରେ ଶାଶ୍ଵତଙ୍କର ବାମହାତ ବିଶି ଆଙ୍ଗୁଳିଟି ଚାପି ହୋଇଯାଇଥିଲା ।
ତେବେ ବିଦ୍ୟାଳୟର ଶିକ୍ଷକ ଶାଶ୍ୱତଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ବ୍ୟାଣ୍ଡେଜ୍ କରି ଶାଶ୍ଵତକୁ ଘରେ ଛାଡିଥିବାବେଳେ ଆଙ୍ଗୁଳି ବେଶି କିଛି ହୋଇନଥିବା ପରିବାରର ସଦସ୍ୟଙ୍କୁ କହିଥିଲେ । ଏଥିସହ ୪ଦିନ ପରେ ବ୍ୟାଣ୍ଡେଜ ଖୋଲାଯିବ କହିଥିଲେ । ତେବେ ଦୁଇଦିନ ପରେ ଶାଶ୍ଵତଙ୍କ ହାତରେ ଯନ୍ତ୍ରଣା ହେବାରୁ ତାଙ୍କ ବାପା ପୁଅକୁ ପ୍ରଥମେ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏହାପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରେ କଟକର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଇଥିଲେ । ତେବେ ଶାଶ୍ଵତଙ୍କ ଆଙ୍ଗୁଠିଟି ସେପଟିକ୍ ହୋଇଯାଇଥିବାରୁ ଆଙ୍ଗୁଠିକୁ କାଟିବାକୁ ପଡିଛି ।
ଏହା ମଧ୍ୟ ପଢ଼ନ୍ତୁ: ପାରା ଚୋରି କରି ବନ୍ଧା ହେଲା ଚୋର
ଏହି ଘଟଣା ନେଇ ଆଜି ଶାଶ୍ଵତଙ୍କ ବଡବାପା ବିପିନ ମଳିକ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି । ପୁତୁରା ଚିକିତ୍ସାର ସୁବ୍ୟବସ୍ଥା ସହିତ ଅଭିଯୁକ୍ତ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଲିଖିତ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା