କେନ୍ଦ୍ରାପଡା: ଚାକିରିରେ ନିଯୁକ୍ତି ନଦେଇ ଦିବ୍ୟାଙ୍ଗ ମହିଳାଙ୍କୁ ମାନସିକ ନିର୍ଯାତନା । ଭୋଟିଂରେ ବିଜୟୀ ହୋଇଥିଲା ବେଳେ ବିଭାଗୀୟ ମନମାନୀ ଯୋଗୁଁ ପାଇ ପାରୁନାହାନ୍ତି ନିଯୁକ୍ତି ପତ୍ର । ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକାରେ ଥିବା ସମନ୍ଵୟ ଶିଶୁ ବିକାଶ ବିଭାଗରେ ତାର ଠିକ୍ ଓଲଟା ପ୍ରତିଫଳନ ଦେଖିବାକୁ ମିଳିଛି ।
ରାଜକନିକା ସମନ୍ଵୟ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନବାଡି ସହାୟିକା ନିଯୁକ୍ତି ପାଇଁ ନୋଟିସ ଜାରି ହେବା ପରେ ଅନେକ ମହିଳା ଆବେଦନ କରିଥିଲେ । ଶେଷରେ ସରକାରୀ ନିୟମ ଅନୁଯାୟୀ ବିଭାଗୀୟ ଅଧିକାରୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଭୋଟିଂ କରାଯାଇଥିଲା ବେଳେ ଏହି ପଦବୀ ପାଇଁ ଦିବ୍ୟାଙ୍ଗ ମହିଳା ରେଣୁବାଳା ବାରିକ 10ଖଣ୍ଡ ଭୋଟରେ ବିଜୟୀ ହେଲେ । କିନ୍ତୁ ପରିତାପର ବିଷୟ ଭୋଟିଂ ହେବାର ଆଜିକୁ ପ୍ରାୟ ଦୁଇ ମାସ ବିତି ଗଲାଣି କିନ୍ତୁ ରେଣୁବାଳାଙ୍କୁ ମିଳୁନି ନିଯୁକ୍ତି ପତ୍ର । ଫଳରେ ଚାକିରି କ୍ଷେତ୍ରରେ ସିଡିପିଓ କଣ୍ଟା ସାଜୁଥିବା ଅଭିଯୋଗ କରିଛନ୍ତି ରେଣୁ ।
ଅନେକ ଥର ଚିକିରିରେ ନିଯୁକ୍ତି ନେଇ CDPOଙ୍କ ଅଫିସରେ ଦେଖା କରିଛନ୍ତି । କିନ୍ତୁ ତାଙ୍କୁ CDPO ନାଲି ଆଖି ଦେଖାଉଥିବା ଅଭିଯୋଗ କରିଛନ୍ତି । ଯଦି ମୋତେ ନିଯୁକ୍ତି ନମିଳେ ମୁଁ ଓ ମୋର ପରିବାର CDPO ଅଫିସ ଆଗରେ ଆତ୍ମହୁତି ଦେବୁ ବୋଲି ରେଣୁ ଚେତାବନୀ ଦେଇଛନ୍ତି ।
କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ସିହୋପଡା ପଞ୍ଚାୟତର ଆଗପଡା ଗାଁରେ ରେଣୁବାଳାଙ୍କ ଘର । ତାଙ୍କ ଦୁଇ ଗୋଡ ଜନ୍ମରୁ ବଙ୍କା । ରେଣୁଙ୍କ ସ୍ୱାମୀ ଜଣେ ଦିନ ମଜୁରିଆ ହୋଇଥିବା ବେଳେ ୪ ଜଣ କନ୍ୟା ସନ୍ତାନ ରହିଛନ୍ତି । ଅର୍ଥ ଅଭାବ ଯୋଗୁଁ ଦିନେ ଖାଇଲେ ଦିନେ ଓପାସ ରହିବାକୁ ପଡେ ବୋଲି ଦୁଃଖର ସହିତ କୁହନ୍ତି ରେଣୁବାଳା । ଏଥି ସହ ଆଜି ଯାଏଁ ଆବାସ ଯୋଜନାରେ ଘରେ ଖଣ୍ଡେ ମିଳି ନଥିବାରୁ ପୁରା ପରିବାର ଭଙ୍ଗା ଘରେ ଜୀବନ ବିତାଉଛନ୍ତି ।
ରାଜକନିକା ଶିଶୁ ବିଭାଗ ନାଁରେ ରହିଛି ଅନେକ ଅଭିଯୋଗ । ସବୁଠୁ ବଡ଼ କଥା ହେଉଛି CDPO ସତ୍ୟଭାମା ମାହୁନ୍ତଙ୍କ ନାମରେ ଅନେକ ଅଭିଯୋଗ ଥିଲେ ମଧ୍ୟ କଣ ପାଇଁ ହେଉନି କାର୍ଯ୍ୟନୁଷ୍ଠାନ ତାହାକୁ ନେଇ ସାଧାରଣରେ ସନ୍ଦେହ ଉପୁଜିଛି । କାହା ବଳରେ ବଳିୟାନ CDPO ଏବେ ସେନେଇ ପ୍ରଶ୍ନ ଉଠିଛି । ଅନେକ ସମୟରେ ନିଜ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବାର ଅଭିଯୋଗ ତାଙ୍କ ନାମରେ ଅଛି । ରେଣୁବାଳାଙ୍କ ବିଷୟରେ CDPOଙ୍କୁ ପଚାରିବାରୁ ତାଙ୍କ ନାମରେ ଅଭିଯୋଗ ହୋଇଥିବାରୁ ନିଯୁକ୍ତି ସ୍ଥଗିତ ରଖା ଯାଇଛି ବୋଲି ସେ କହିଛନ୍ତି ।
ଅଙ୍ଗନବାଡି ସହାୟିକା ନିଯୁକ୍ତି ପାଇଁ ଗ୍ରାମବାସୀଙ୍କ ଭୋଟ ମଧ୍ୟମରେ ଜିତିଥିଲେ ରେଣୁବାଳା । ସେତେବେଳେ ବିଭାଗୀୟ ଅଧିକାରୀ ଉପସ୍ଥିତ ମଧ୍ୟ ଥିଲେ । କିନ୍ତୁ ରେଣୁଙ୍କ ବିରୋଧରେ କିଏ ଅଭିଯୋଗ କଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଲାଞ୍ଚ ନେବା ପାଇଁ ରେଣୁକୁ ଆଉ ହଇରାଣ କରୁନାହାନ୍ତିତ CDPO ? ଏପରି ପ୍ରଶ୍ନ ଏବେ ରେଣୁଙ୍କ ମନରେ ଉଙ୍କି ମାରୁଛି ।
ଇଟିଭି ଭାରତ, କେନ୍ଦ୍ରାପଡା