କେନ୍ଦ୍ରାପଡ଼ା: ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ହୋଇଛି । ଶେଷଦିନରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ନାମାଙ୍କନପତ୍ର ଫେରାଇ ନେଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ବହୁ ବିଜେଡି ପ୍ରାର୍ଥୀ । ତେବେ 16ରୁ ଊର୍ଦ୍ଧ୍ବ ପ୍ରାର୍ଥୀ ପ୍ରାର୍ଥୀପତ୍ର ଫେରାଇ ନେଇଥିବା ଜଣାପଡ଼ିଛି ।
ବିଭିନ୍ନ ଦଳର ଅସନ୍ତୁଷ୍ଟ ପ୍ରାର୍ଥୀମାନେ ମ୍ୟୁନିସିପାଲିଟି କାର୍ଯ୍ୟାଳୟରେ ପହଞ୍ଚି ଅନିଚ୍ଛା ସତ୍ତ୍ଵେ ଅଥବା ବାଧ୍ୟବାଧକତାରେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିଥିବ ଜଣାପଡ଼ିଛି । କିନ୍ତୁ ଏମାନଙ୍କ ମଧ୍ୟରେ ସର୍ବାଧିକ ବିଜୁ ଜନତା ଦଳର ଆଶାୟୀ ପ୍ରାର୍ଥୀ ରହିଛନ୍ତି । ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣାରେ ବିଳମ୍ବ ଫଳରେ ବିଭିନ୍ନ ୱାର୍ଡରୁ ବିଜେଡିର ଏକାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବା ପରି ଘଟଣା ସାମନାକୁ ଆସିଥିଲା । କିନ୍ତୁ ପରେ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଅନ୍ୟପ୍ରାର୍ଥୀଙ୍କୁ ନାମାଙ୍କନପତ୍ର ପ୍ରତ୍ୟାହାର ପାଇଁ ଚାପ ପଡିଥିଲା ବୋଲି ଶୁଣିବାକୁ ମିଳୁଛି ।
ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡା ଏବଂ ଦଳର ଅନ୍ୟ ବରିଷ୍ଠ ନେତା ନିଜେ ଉପସ୍ଥିତ ରହି ପ୍ରାର୍ଥୀପତ୍ର ପ୍ରତ୍ୟାହାର ତଦାରଖ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ୱାର୍ଡରୁ ବିଜେଡ଼ିର ଟିକେଟ ହାତେଇଥିବା ପ୍ରାର୍ଥୀଙ୍କ ବ୍ୟତୀତ ପ୍ରାୟ ୨୦ରୁ ଅଧିକ ଦଳୀୟ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଥିଲେ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି,ଇଟିଭି ଭାରତ