କେନ୍ଦ୍ରାପଡ଼ା: ବାଜିରେ ଲାଗିଛି ପାଟକୁରା ଆସନ । କେଉଁଠି ମାଆ ଓ ପୁଅଙ୍କ ମେଳି ହୋଇ ସଭାର ଆୟୋଜନ ତ ଆଉ କେତେବେଳେ ପ୍ରଥମ କରି ବାପାଙ୍କ ସଭାରେ ପୁଅଙ୍କ ଉପସ୍ଥିତି ରାଜନୀତିକୁ ସରଗରମ କରୁଛି । ବହୁଚର୍ଚ୍ଚିତ ଏହି ଆସନରୁ ୨୦୦୦ ମସିହାରୁ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବିଜୟୀ ହୋଇପାରୁନଥିବା ବେଳେ ଆସନ୍ତା ସାଧାରଣ ନିର୍ବାଚନରେ ପୁଅ ଅରବିନ୍ଦ ବିଜେଡି ଶିବିରରୁ ଲଢ଼ିବା ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପୁଅ ମଧ୍ୟ ରାଜନୀତିରେ ସକ୍ରିୟ ହେଉଥିବା ଦେଖିବାକୁ ମିଳିଛି । ତେବେ ଅଭିଭାବକମାନେ ଏବେ ନିଜ ନିଜ ରାଜନୈତିକ ଆସନ ପିଲାମାନଙ୍କ ହାତରେ ଟେକି ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ନିର୍ବାଚନ ମଣ୍ଡଳୀରେ ଆଲୋଚନା ହେଉଛି ।
ରାଜନୀତି ମୈଦାନରେ ବିଜୟଙ୍କ ପୁଅ ! କେନ୍ଦ୍ରାପଡା ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ହେଉଛି ୯୬ ନମ୍ବର ପାଟକୁରା ଆସନ । ଅନେକ ସମୟରେ ବିଭିନ୍ନ କାରଣ ପାଇଁ ପାଟକୁରା ଚର୍ଚ୍ଚାରେ ରହିଥାଏ । ଏବେ କିନ୍ତୁ ପରିବର୍ତ୍ତନକୁ ନେଇ ଉଷ୍ମ ହୋଇ ଉଠିଛି ପାଟକୁରା ରାଜନୀତି । ନିକଟରେ ପାଟକୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିକନପୁର ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟାଜନ କରି ନିଜ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ବିଧିବଦ୍ଧ ଭାବେ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି ବିଜୟ ମହାପାତ୍ର । ବିଜେପିର ଜଣେ ବରିଷ୍ଠ ନେତା ହୋଇଥିଲେ ସୁଦ୍ଧା ନିର୍ଦ୍ଦଳୀୟ ସଭା ଆୟୋଜନ କରି ଉଭୟ ଦଳ ଏବଂ ବିରୋଧୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ବିଜୟ । ଅନ୍ୟପକ୍ଷରେ ରାଜନୀତିରେ ପ୍ରବେଶ କଥାକୁ ଖୋଲାଖୋଲି ସ୍ଵୀକାର କରିଛନ୍ତି ବିଜୟଙ୍କ ପୁଅ ଅରବିନ୍ଦ । ସେ କହିଛନ୍ତି ପାଟକୁରାବାସୀ ପରିବର୍ତ୍ତନକୁ ଅପେକ୍ଷା କରିଛନ୍ତି କିନ୍ତୁ ସେ କେଉଁ ଦଳକୁ ଯିବେ ତାହା ଭବିଷ୍ୟତରେ ଜଣାପଡିବ ବୋଲି କହିଛନ୍ତି ।
ବିଜେଡି ସଭା ସମତି ବୁଝୁଛନ୍ତି ସାବିତ୍ରୀଙ୍କ ପୁଅ:- ବିଜୟ ମହାପାତ୍ରଙ୍କ ବନ୍ଧୁମିଳନ ସଭାର ଗୋଟିଏ ଦିନ ପରେ ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲ ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳଠାରେ ଏକ ବିଶାଳ ଜନସଭାର ଆୟୋଜନ କରିଥିଲେ । ଏହା ଥିଲା ବିଜେଡିର ପ୍ରତିଷ୍ଠା ଦିବସ ଉତ୍ସବ । କିନ୍ତୁ ଏହା ମଧ୍ୟରେ ମୁଖ୍ୟ ଆକର୍ଷଣ ଥିଲେ ସାବିତ୍ରୀଙ୍କ ପୁଅ ସଞ୍ଜୟ ଅଗ୍ରୱାଲ । ଅସୁସ୍ଥତା କାରଣରୁ ସାବିତ୍ରୀ ଆଗାମୀ ଦିନରେ ରାଜନୈତିକ ଧାଁ ଦୌଡ଼ରୁ ବାହାରି ଯିବା ପାଇଁ ଯୋଜନା କରି ପୁଅକୁ ମୈଦାନକୁ ଓହ୍ଲାଇବେ ବୋଲି ଆଲୋଚନା ହେଉଛି । ତେଣୁ ଏବେ ବିଭିନ୍ନ ସଭା ସମିତିରେ ସାବିତ୍ରୀଙ୍କ ଅପେକ୍ଷା ପୁଅ ସଞ୍ଜୟଙ୍କୁ ଅଧିକ ଦେଖିବା ପାଇଁ ମିଳୁଛି । ତେବେ ଏହି କଥାକୁ ଅସ୍ବୀକାର ମଧ୍ୟ କରିନାହାନ୍ତି ସଞ୍ଜୟ । ସେ କହିଛନ୍ତି, "ମୁଁ ଲବିରେ ନାହିଁ । କିନ୍ତୁ ମୋ ଉପରେ ଦଳ ମୁଖିଆଙ୍କ ଆଶୀର୍ବାଦ ଅଛି । ସେ ଚାହିଁଲେ ମୁଁ ନେତା ହୋଇଯିବି ।" ତେବେ ତାଙ୍କରି ନିର୍ଦ୍ଦେଶରେ ସେ ଲୋକଙ୍କ ସେବା କରୁଥିବା ନେଇ ପ୍ରକାଶ କରିଛନ୍ତି ।
ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ବିଜୟୀ ହୋଇଥିବା ଏହି ପାଟକୁରା ନିର୍ବାଚନମଣ୍ଡଳୀରୁ ଉତ୍ତରାଧିକାରୀ ନିର୍ଣ୍ଣୟ ଏବେ ଘୋଡାଦୌଡ଼ ସହ ସମାନ ହୋଇଛି । ତେବେ ଆଗାମୀ ଦିନରେ କେଉଁ ନେତା ନିଜ ରାଜନୈତିକ ଡଙ୍ଗାରେ ପୁଅକୁ ବସାଇ କିଭଳି ନିର୍ବାଚନ ବୈତରଣୀ ପାର କରାଉଛନ୍ତି, ତାହା ଦେଖିବାକୁ ବାକି ରହିଲା ।
ଇଟିଭି ଭାରତ, କେନ୍ଦ୍ରାପଡ଼ା