କେନ୍ଦ୍ରାପଡା: ପଞ୍ଚାୟତ ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ଚଳଚଞ୍ଚଳ ହେଉଛି ଗାଁ ଗଣ୍ଡା । ଜୋର୍ସୋରରେ ପ୍ରଚାର ଚଳାଉଛନ୍ତି ପ୍ରାର୍ଥୀ ଓ ସମର୍ଥକ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ସଦର ୩୧ନଂ ଜୋନରେ ଏଥର ତ୍ରିମୁଖୀ ଲଢେଇ ଚାଲିଛି । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପରସ୍ପରକୁ କଡା ଟକ୍କର ଦେବା ସହ ଶାସକ ଦଳ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଏବଂ ବିରୋଧି ସରକାରଙ୍କ ବିଫଳତାକୁ ମୁଦ୍ଦା କରି ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି । ଏପରିକି ବିଜେପି ପ୍ରାର୍ଥୀ ସାଇକେଲ୍ ମାଧ୍ୟମରେ ନିଜ ସମର୍ଥକଙ୍କୁ ନେଇ ପ୍ରଚାର କରୁଥିବାର ଦେଖାଯାଇଛି ।
ସଦର ୩୧ ନଂ ଜୋନ ଅଧିନ ଅନ୍ତର୍ଗତ କଣ୍ଡିରା, ଭିତରଗଡ, ଡେରା, ହାତୀନା, ବ୍ରାହ୍ମଣସାହି, କୁରୁଣ୍ଟି, ଚାନ୍ଦିବାଉଁଶମୂଳ, ମହୁଲିଆ ଓ କୋଇଲିପୁର ଆଦି ୯ଟି ପଞ୍ଚାୟତରେ ଥିବା ୧୬୦ଟି ୱାର୍ଡର ୪୫,୯୯୩ ଜଣ ଭୋଟରଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ କରିଛନ୍ତି ପ୍ରାର୍ଥୀ । ନଦୀନାଳ ଘେରା ଏହି ଜୋନଟିରେ ଦୀର୍ଘ ଦିନରୁ ସମସ୍ୟା ଲାଗି ରହିଛି । ଏଠାରୁ ନିର୍ବାଚିତ ହୋଇ ଜିଲ୍ଲା ପରିଷଦ ଆସନରେ ନେତୃତ୍ବ କରୁଥିବା ଶାସକ ଦଳ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ଯତ୍ନଶୀଳ ନ ହୋଇ ନିଜ ହିତ ସାଧନ ଦିଗରେ ବ୍ୟସ୍ତ ବୋଲି କହିଛନ୍ତି ବିଜେପି ପ୍ରାର୍ଥୀ ।
ଏହି ଅଞ୍ଚଳରେ ଅଧିକାଂଶ ଲୋକଙ୍କ ମୁଖ୍ୟ ଜୀବିକା ଚାଷ ହୋଇଥିବା ବେଳେ ଦୋଫସଲି ଚାଷ ପାଇଁ କୌଣସି ବ୍ୟବସ୍ଥା ନଥିବା ଓ ପ୍ରାକୃତିକ ବିପର୍ଯ୍ୟୟ ପ୍ରପୀଡିତ ଏହି ଅଞ୍ଚଳର ଚାଷୀ କୂଳକୁ ଦଳୀୟ ଭିତ୍ତିରେ ସହଯୋଗ କରାଯାଉଥିବା ଭଳି ବିଜେପି ପ୍ରାର୍ଥୀ ସଙ୍ଗିନ ଅଭିଯୋଗ କରିଛନ୍ତି । ଲୋକମାନଙ୍କର ଭରଷା, ବିଶ୍ୱାସ ଓ ଆର୍ଶୀବାଦକୁ ଦକୁ ପାଥେୟ କରି ସେ ନିର୍ବାଚନରେ ବିଜୟୀ ହେବେ ବୋଲି ଆଶା କରିଛନ୍ତି ।
ଅନ୍ୟପଟେ ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଛ ଓ ନିର୍ମଳ ଶାସନକୁ ପାଥେୟ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି ଏଠାକାର ବିଜେଡି ପ୍ରାର୍ଥୀ ତଥା ବ୍ଲକ ବିଜେଡି ସଭାପତି । ଗାଁ ଗାଁରେ ପାନୀୟଜଳ,ବିଜୁ ପକ୍କାଘର, କଂକ୍ରିଟ ରାସ୍ତା ନବୀନ ସରକାରର ଏକ ନମୁନା ଓ ଏହି ବିକାଶଧାରା ବଜାୟ ରହିବ ବୋଲି ବିଜେଡି ପ୍ରାର୍ଥୀ କହିଛନ୍ତି । ବିଜେପି ଓ କଂଗ୍ରେସ ମଧ୍ୟରେ ଭିତିରି ବୁଝାମଣା ଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କର ବିଜୟ ଦଶ ହଜାରରୁ ଊର୍ଦ୍ଧ୍ବ ଭୋଟ ବ୍ୟବଧାନରେ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରାର୍ଥୀ ଅଶୋକ ପଢ଼ିଆରୀ । ସେପଟେ ଏହି ଜୋନରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ମହାନ୍ତିଙ୍କ ଲୋକପ୍ରିୟତା ଥିଲେ ସୁଦ୍ଧା ସେ ଏଯାବତ ପ୍ରଚାର ମଇଦାନରେ ନ ପହଞ୍ଚିବା ସମସ୍ତଙ୍କୁ ଚକିତ କରିଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ