କେନ୍ଦ୍ରାପଡା: ଅଗଷ୍ଟ ମାସ ପହିଲା(ଗୁରୁବାର)ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀର ଓ ଗୋରୀ ପାଇଁ ବିଶ୍ବପ୍ରସିଦ୍ଧ ଭିତରକନିକାକୁ ଗତ ମେ ୧ ତାରିଖରୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା। ଭିତରକନିକା ଡାଙ୍ଗମାଳ ଓ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ବଉଳା କୁମ୍ଭୀର ଏହି ସମୟରେ ପ୍ରଜନନ କରୁଥିବାରୁ ଏହାକୁ ଆଖି ଆଗରେ ରଖି ଜାତୀୟ ଉଦ୍ୟାନ ମଧ୍ୟକୁ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଇଥିଲା । ଆଜିଠାରୁ ଭିତରକନିକା ବୁଲିବାର ସୁଯୋଗ ପାଇ ପାରିବେ ପର୍ଯ୍ୟଟକ ।
ପ୍ରତ୍ୟକ ବର୍ଷ ମେ ମାସରେ ପୁରୁଷ କୁମ୍ଭୀର ଓ ମାଆ କୁମ୍ଭୀର ମଧ୍ୟରେ ସଙ୍ଗମ ହେଉଥିବା ବେଳେ ମାଆ କୁମ୍ଭୀର ଜାତୀୟ ଉଦ୍ୟାନର ଲୁଣା ଜଙ୍ଗଲ ମଧ୍ୟରୁ ଖରଖରୀ ପତ୍ର ସଂଗ୍ରହ କରିବା ସହ ବସା ବାନ୍ଧିଥାନ୍ତି ବୋଲି ଏ ବିଷୟରେ ଅଧ୍ୟୟନ କରୁଥିବା ଗବେଷକ କୁହନ୍ତି । ଏହାପରେ ଜୁନ ମାସରେ ମାଆ କୁମ୍ଭୀର ଅଣ୍ଡା ଦେଇ ବସା ନିକଟରେ ଏକ ଗାତ ଖୋଳି ସେଠାରେ ଅଣ୍ଡାଗୁଡିକୁ ଜଗି ରହିଥାନ୍ତି। ଅଖିଆଅପିଆ ମା କୁମ୍ଭୀର ଏହି ଅଣ୍ଡାଗୁଡିକୁ ଜଗିରହିବା ସହ ଅଣ୍ଡା ଗୁଡିକର ସୁରକ୍ଷା ପାଇଁ ମା କୁମ୍ଭୀର କୁଆଡେ ଯାଇନଥାଏ। ଏହି ସମୟରେ ମା କୁମ୍ଭୀର ଅତ୍ୟଧିକ ହିଂସ୍ର ହେଉଥିବାରୁ ଓ କେହି ମଧ୍ୟ ବସାର ନିକଟତର ହେଲେ ତତ୍କ୍ଷଣାତ୍ ଆକ୍ରମଣ କରୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ବନବିଭାଗ ପକ୍ଷରୁ ପ୍ରବେଶ କଟକଣା ଜାରି କରାଯାଇଥାଏ।
କିଛିଦିନ ପରେ ମାଆ କୁମ୍ଭୀର ଅଣ୍ଡାରୁ ଛୁଆ ବାହାରିବା ପରେ ଏବଂ ସେମାନେ ଶିକାର ଉପଯୋଗୀ ହେବା ପରେ ମା କୁମ୍ଭୀର ସେମାନଙ୍କୁ ଛାଡି ଚାଲିଯାଇଥାଏ। ଚଳିତବର୍ଷ ଭିତରକନିକା ବନାଞ୍ଚଳ ମଧ୍ୟରେ ୧୦୩ଟି ବସାକୁ ବନବିଭାଗ ଠାବ କରି ଏହା ଉପରେ ତୀକ୍ଷ୍ଣ ନଜର ରଖିଥିଲା। ଏବେ ଏହି ବସାଗୁଡିକ ମଧ୍ୟରୁ କୁମ୍ଭୀର ଶାବକ ବାହାରିବା ପରେ ମାଆ କୁମ୍ଭୀର ସହିତ ଏମାନେ ଜାତୀୟ ଉଦ୍ୟାନର ଗଭୀର ଜଳାଶୟ ମଧ୍ୟକୁ ଚାଲିଗଲେଣି। ତେଣୁ ଆଜି ତିନିମାସ ପରେ ଜାତୀୟ ଉଦ୍ୟାନ ମଧ୍ୟକୁ ପର୍ଯ୍ୟଟକଙ୍କ ପାଇଁ ଥିବା ପ୍ରବେଶ କଟକଣାକୁ ଉଠାଇ ଦିଆଯାଇଛି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ