କେନ୍ଦ୍ରାପଡ଼ା: ଗ୍ୟାଙ୍ଗଷ୍ଟାର ହାଇଦରର ପୁଅ ଦୁର୍ଦ୍ଦାନ୍ତ ଅପରାଧୀ ସେକ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ । ୨୦୧୩ ମସିହା ସେସନ ଟ୍ରାକ କେଶ ନଂ 74ରେ ମୁନ୍ନାକୁ କାରାଦଣ୍ଡ ଶୁଣାଯାଇଛି । ଜିଲ୍ଲାର ଆଳି ଅଞ୍ଚଳର ସାର ତଥା ସିମେଣ୍ଟ ବ୍ୟବସାୟୀ ସାହାନବାଜ ଖାଁ ହତ୍ୟାକାଣ୍ଡରେ କାଦିର ଦୋଷୀ ସାବ୍ୟସ୍ତ ହୋଇଥିବା ଜଣାପଡି଼ଛି ।
ବ୍ୟବସାୟୀ ସାହାନବାଜକୁ ଦାଦାବଟି ମାଗି ବିଫଳ ହେଲା ପରେ ସେକ କାଦିର ତାଙ୍କୁ ଦୋକାନରେ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତେବେ ଏହି ମାମଲାରେ ଅନ୍ୟ ୮ ଜଣ ଅଭିଯୁକ୍ତ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଥିବା ପବ୍ଲିକ ପ୍ରସିକ୍ୟୁଟର ମାନସ ରଂଜନ ବେହେରା ସୂଚନା ଦେଇଛନ୍ତି । ଦୁର୍ଦ୍ଦାନ୍ତ ଅପରାଧୀ ତଥା ବିଗତ ଦିନର ଗ୍ୟାଙ୍ଗଷ୍ଟାର ହାଇଦରର ବଡ଼ ପୁଅ ହେଉଛି ସେକ କାଦିର । କାଦିର ନାମରେ ବିଭିନ୍ନ ଥାନାରେ ପ୍ରାୟ ୩୦ରୁ ଅଧିକ ମାମଲା ରହିଛି ।
ଧମକ ଚମକ ଦେବା, ଦାଦାବଟି ଆଦାୟ, ହତ୍ୟା ଧମକ, ଟେଣ୍ଡର ଫିକ୍ସିଂ, ବୋମାମାଡ଼, ଲୁଟ, ହତ୍ୟା ପ୍ରଭୃତି ମାମଲାରେ ସେକ କାଦିରର ସମ୍ପୃକ୍ତି ରହିଛି । ନିକଟରେ ହାଇଦରର ମୃତ୍ୟୁ ପରେ ନିଜ ବାପାର ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବା ପାଇଁ କାଦିର ଜାମିନ ପାଇବା ପାଇଁ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଥିଲା । କିନ୍ତୁ ଏହି ଆବେଦନକୁ ନାକଚ କରିଥିଲେ ନ୍ୟାୟାଧୀଶ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ