କେନ୍ଦ୍ରାପଡ଼ା: କରତକଳରେ ଅଘଟଣ। କାମ କରୁଥିବା ସମୟରେ ଯୁବକଙ୍କ ହଠାତ ମୃତ୍ୟୁକୁ ନେଇ ସଂଶୟ କଲେ ମୃତକଙ୍କ ପଡୋଶୀ। ଏଭଳିସ୍ଥଳେ କରତକଳ ମାଲିକ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାଡି ଫେରାର ହୋଇଯିବା ଘଟଣା ଏବେ ଘଟଣାକୁ ସନ୍ଦେହଘରକୁ ଟାଣୁଛି ।
ଘଟଣା ଅନୁଯାୟୀ, ଆଜି(ଗୁରୁବାର) ଡେରାବିଶ ତହସିଲ ଅଧିନ ବଳଭଦ୍ରପୁରରେ ଥିବା ସରକାରୀ କରତ କଳରେ ଥିବା ସୁକଦେବଙ୍କ କାରଖାନାରେ କେଉଟକଣ୍ଡିଆ ଗ୍ରାମର 30 ବର୍ଷୀୟ ଯୁବକ ଚନ୍ଦ୍ରଶେଖର ସେଠୀ କାମ କରୁଥିବା ସମୟରେ ହଠାତ ତଳେ ପଡି ଯାଇଥିଲେ। ସୁକଦେଵ ଓ ଅନ୍ୟ ମାଲିକମାନେ ଚନ୍ଦ୍ରଶେଖରଙ୍କୁ ମେଡିକାଲ ନେଇ ଆସିଥିଲେ ସତ, ହେଲେ ପରିବାର ବର୍ଗଙ୍କୁ ଖବର ଦେଇନଥିଲେ ।
ଏପଟେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଚନ୍ଦ୍ରଶେଖରଙ୍କୁ ମୃତ ଘୋଷଣା କରିବାପରେ କରତ କଳ କାରଖାନା ମାଲିକମାନେ ମେଡିକାଲ କ୍ୟାମ୍ପସ ଛାଡି ଫେରାର ହୋଇଯାଇଛନ୍ତି । ପରେ ପରିବାରବର୍ଗ ଓ ପଡୋଶୀ ପହଞ୍ଚି ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ