କେନ୍ଦ୍ରାପଡା: ମୃତ ବ୍ୟକ୍ତିଙ୍କ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ମିଳୁନଥିବା ବେଳେ ଜୀବିତ ବ୍ୟକ୍ତିଙ୍କ ନାମରେ ଉଠାଯାଇଛି ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା। ଏଭଳି ଏକ ବଡ ଧରଣର ଲୁଟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଶିଳପୋଖରୀ ଗାଁରେ । ଜଣେ 65 ବର୍ଷୀୟ ବଂଶୀଧର ସ୍ୱାଇଁ ଜୀବିତ ଥିବାବେଳେ ତାଙ୍କୁ ମୃତ ଦର୍ଶାଯାଇ ଗତ 2018 ମସିହାରେ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ଉଠାଯାଇଛି ।
ଏହି ଯୋଜନାର ଭାଉଚର ନଂ-24, ତାରିଖ 6.10.2018 ରେ ଉଠାଯାଇଥିଲା ଟଙ୍କା । ଏହାସହ ଗଜେନ୍ଦ୍ର ସ୍ୱାଇଁଙ୍କ ବାପା ବଂଶୀଧର ସ୍ୱାଇଁଙ୍କ ମୃତ୍ୟୁ 18.09.2018 ସକାଳ 11.20 ମିନିଟ ହୋଇଥିଲା । ତେବେ ତାଙ୍ଗର ମୃତ୍ୟୁ ପରେ ଗଜେନ୍ଦ୍ର ଆସି ଏହି ଟଙ୍କା ନେଇଥିବା ଦର୍ଶାଯାଇଛି । କିନ୍ତୁ ବାସ୍ତବିକ ଭାବରେ ବଂଶୀଧରଙ୍କର ଏକମାତ୍ର ପୁଅ ଅଛନ୍ତି । ଆଉ ତାଙ୍କ ନାଁ ହେଉଛି ବାବୁରାମ ସ୍ୱାଇଁ । ସେ କେରଳରେ କାମ କରୁଥିବା ବେଳେ ଗତ 2 ବର୍ଷ ମଧ୍ୟରେ ସେ ଥରୁଟିଏ ମଧ୍ୟ ଘରକୁ ଆସିନାହାନ୍ତି ବୋଲି ଗ୍ରାମବାସୀ କହିଛନ୍ତି।
ଜୀବିତ ଥାଇ ସୁଦ୍ଧା ହରିଶ୍ଚନ୍ଦ୍ର ଯୋଜନାରେ ମୃତ ଘୋଷିତ ହୋଇଥିବାରୁ ସରକାରୀ କଳ ପ୍ରତି ଆସ୍ଥା ହରାଇ ସାରିଛନ୍ତି ବଂଶୀଧର ଓ ତାଙ୍କ ପରିବାର। ଅପରପକ୍ଷରେ ବଂଶୀଧରଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଥିବା ଉଭୟ ସ୍ଥାନୀୟ ସରପଞ୍ଚ ଓ ସରକାରୀ ଅଧିକାରୀଙ୍କ ଭୂମିକା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି । ଏଭଳି ଚଞ୍ଚକତା କରି ତାଙ୍କ ନାଁରେ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ହଡପ କରିଥିବା ଅଭିଯୁକ୍ତମାନଙ୍କୁ ଉଚିତ ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ବଂଶୀଧର ଓ ତାଙ୍କ ପରିବାର।
ଅନ୍ୟପଟେ ଉକ୍ତ ପଞ୍ଚାୟତର ବିଭିନ୍ନ ଗାଁରେ ହରିଶ୍ଚନ୍ଦ୍ର ଯୋଜନାରେ ମୋଟ 116 ଜଣଙ୍କୁ ଟଙ୍କା ଦିଆଯାଇଥିବା ସୂଚନା ଅଧିକାର କର୍ମୀଙ୍କୁ ଦିଆଯାଇଛି। ଏମାନଙ୍କ ମଧ୍ୟରୁ 66 ଜଣ ହିତାଧିକାରୀଙ୍କ ତଥ୍ୟ ଦିଆଯାଇଥିବାବେଳେ ଅନ୍ୟ 44 ଜଣ ହିତାଧିକାରୀଙ୍କ ତଥ୍ୟ ସମ୍ବଳିତ ଫାଇଲ ଗାୟବ ହୋଇଯାଇଛି । ଯାହାକି ଏକ ବଡ଼ ଧରଣର ଦୁର୍ନୀତିର ଆଶଙ୍କା ପ୍ରକାଶ କରିଛି।
ଜନ୍ମ ଠାରୁ ମୃତ୍ୟୁ ଯାଏଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଯୋଜନା ଖଞ୍ଜି ଥିବାବେଳେ ଏହାକୁ କିଛି ଦୁର୍ନିତିଗ୍ରସ୍ତ ବ୍ୟକ୍ତି ହରିଲୁଟ କରୁଛନ୍ତି ।