କେନ୍ଦ୍ରାପଡା: ଲିଫ୍ଟ ଦେବା ଆଳରେ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୮୦ ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ ଘଟଣା । ଏହି ଲଜ୍ଜାଜନକ ଘଟଣାକୁ ମାସେ ପୁରିବାକୁ ବସିଲାଣି, ହେଲେ ପୋଲିସ ଅଭିଯୁକ୍ତକୁ ଧରିବାରେ ଏଯାଏଁ ସଫଳ ହୋଇପାରିନି । ଅପରାଧି ପାଖରେ ପହଞ୍ଚିବା ତ ଦୂରର କଥା, ତା'ର ଟେର୍ ପାଇ ପାରୁନାହିଁ ପୋଲିସ । ପୋଲିସର ଏହି ଅପାରଗତାକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳର ଏକାଧିକ ମହିଳା ରାଜରାସ୍ତାକୁ ଓହ୍ଲାଇଛନ୍ତି । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ସଂସାରଫଳ ଗ୍ରାମ ପଞ୍ଚାୟତର ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀର ଶତାଧିକ ମହିଳା ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ରାସ୍ତାରୋକ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ: ସୀମା ଟପୁଛି ପାଶବିକତା, ଲିପ୍ଟ ଦେବା ବାହାନାରେ 80 ବର୍ଷୀୟ ବୃଦ୍ଧାଙ୍କୁ ଦୁଷ୍କର୍ମ
ଏହି କାରଣରୁ ରାଜନଗର-ପଟ୍ଟାମୁଣ୍ଡାଇ ରାଜ୍ୟ ରାସ୍ତାରେ ଶହଶହ ଗାଡି ଅଟକି ରହିଥିଲା । ଗ୍ରାମାଞ୍ଚଳ ଥାନା ଦାୟିତ୍ବରେ ଥିବା ଏସଆଇ ଅନ୍ତର୍ଯ୍ୟାମୀ ବିଶ୍ବାଳ ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରି ଅଭିଯୁକ୍ତକୁ ଏକ ସପ୍ତାହ ମଧ୍ୟରେ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ହଟିଥିଲା । ତେବେ ସପ୍ତାହେ ଭିତରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ମହିଳାମାନେ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: ନାବାଳିକା ଦୁଷ୍କର୍ମ ମାମଲାରେ ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍
ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ପହିଲି ରଜ ଅର୍ଥାତ ଗତ ଜୁନ ୧୪ ତାରିଖ ଦିନ ଏହି ଲଜ୍ଜାଜନକ ଘଟଣା ଘଟିଥିଲା । ଜନୈକା ୮୦ ବାର୍ଷୀୟା ବୃଦ୍ଧା ନିଜ ଝିଅ ଘରକୁ ଯାଉଥିବା ବେଳେ ଜଣେ ଅଚିହ୍ନା ଯୁବକ ତାଙ୍କୁ ଲିଫ୍ଟ ଦେବା ବାହାନାରେ ନିଜ ଗାଡ଼ିରେ ନେଇ ଏକ ନିଛାଟିଆ ସ୍ଥାନରେ ଦୁଷ୍କର୍ମ କରିଥିଲା ଏବଂ ଫେରାର ହୋଇଯାଇଥିଲା ।
ସ୍ଥାନୀୟ ଲୋକେ ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ । ଏନେଇ ଅଭିଯୋଗ ପରେ ଗ୍ରାମାଞ୍ଚଳ ପୋଲିସ ତତକ୍ଷଣାତ ତଦନ୍ତ ମଧ୍ୟ ଆରମ୍ଭ କରିଥିଲା । ହେଲେ ଉକ୍ତ ଘଟଣାକୁ ୨୬ ଦିନ ପୁରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି । ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ସଂସାର ଫଳ ପଞ୍ଚାୟତର ମହିଳାମାନେ ଥାନା ଘେରାଉ କରିଥିଲେ । ଏହି ପାଶବିକତା ଘଟାଇଥିବା ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଛନ୍ତି ।
ଇଟିଭି ଭାରତ, କେନ୍ଦ୍ରାପଡା