କେନ୍ଦ୍ରାପଡା: ଆସନ୍ତାକାଲି ଠାରୁ ଖୋଲିବାକୁ ଯାଉଛି ରାଜ୍ୟର ସମସ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ୧୯୬ ସରକାରୀ ହାଇସ୍କୁଲ,୧୪୧ଟି ବ୍ଲକଗ୍ରାଣ୍ଟ ଓ ଏଡେଡ଼ ସ୍କୁଲ, ୬ଟି ଘରୋଇ ସ୍କୁଲ ରହିଥିବାବେଳେ ୯୨ଟି +୨ ଉଚ୍ଚ ଶିକ୍ଷାନୁଷ୍ଠାନ ରହିଛି । ତେବେ ବିଦ୍ୟାଳୟ ଖୋଲିବା ପୂର୍ବରୁ ସରକାରୀ ଗାଇଡଲାଇନ ଅନୁସାରେ ବିଦ୍ୟାଳୟ ପରିବେଶ ସଫାସୁତୁରା ରଖିବା ସହ ସାନିଟାଇଜ ମଧ୍ୟ କରାଯାଉଥିବା ଦେଖାଯାଇଛି ।
ସେହିପରି ବିଦ୍ୟାଳୟ ଖୋଲିଲେ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ ଏବଂ ବିଦ୍ୟାଳୟ ପ୍ରଧାନଶିକ୍ଷକ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ସହ ଯୋଗାଯୋଗରେ ରହିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। କୌଣସି ଛାତ୍ରଛାତ୍ରୀଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଲେ ଅବହେଳା ନକରି ତୁରନ୍ତ ପ୍ରଧାନଶିକ୍ଷକ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କୁ ଜଣାଇବେ ବୋଲି କହିଛନ୍ତି ଜିଲ୍ଲାପାଳ। ସେହିପରି କ୍ଳାସରୁମ ସାନିଟାଇଜ କରିବା ଏବଂ ସାମାଜିକ ଦୂରତା ବଜାର ରଖିବା ପାଇଁ ପ୍ରତ୍ୟେକ ବେଞ୍ଚରେ ମାତ୍ର ଦୁଇଜଣ ଛାତ୍ରଛାତ୍ରୀ ବସିବା ବ୍ୟବସ୍ଥା କରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ