ଫୁଲବାଣୀ: ପୁଣି ଲ୍ୟାଣ୍ଡମାଇନ ବିସ୍ଫୋରଣ । ଆଖି ବୁଜିଲେ ଜଣେ ଯୁବକ । କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟ ଫିରିଙ୍ଗିଆ ଥାନା ସାଡ଼ିଙ୍ଗିଆ କିଆମୁଣ୍ଡା ନିକଟରେ ହୋଇଛି ଏହି ବିସ୍ଫୋରଣ । ମୃତ ଯୁବକ ଜଣଙ୍କ କିଆମୁଣ୍ଡା ଗାଁର ପ୍ରିୟରଞ୍ଜନ କହଁର ।
ବିସ୍ଫୋରଣ ସ୍ଥଳ ନିକଟରେ ଗତକାଲି (ମଙ୍ଗଳବାର) ମାଓବାଦୀ ପୋଷ୍ଟର ମାରିଥିଲେ । ପୋଷ୍ଟର ମାରିବା ସହ ଠିକାଦାରଙ୍କ ଦୁଇଟି ଜେସିବି ଜାଳି ଦେଇଥିଲେ ମାଓବାଦୀ । ମାଓବାଦୀ ଖଞ୍ଜି ଥିବା ଲ୍ୟାଣମାଇନ ବିସ୍ପୋରଣରେ ଜଣେ 22ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଛି । ଗତକାଲି ଏହି କିଆମୁଣ୍ଡା ଗାଁ ନିକଟରେ ରାସ୍ତା କାମ ଚାଲିଥିବା ବେଳେ ରାସ୍ତା କମକୁ ବିରୋଧ କରି ସମ୍ପୃକ୍ତ ଠିକା ସଂସ୍ଥାର ଦୁଇଟି ଜେସିବି ପୋଡି ଦେବା ସହ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଜାଗାରେ ଲ୍ୟଣ୍ଡମାଇନ ଖଞ୍ଜି ଥିଲେ ମାଓବାଦୀ ।
ମୃତ ଯୁବକ ଜଣକ ଗାଈ ଚରାଇବାକୁ ଯାଇଥିବା ବେଳେ ହଠାତ ଲ୍ୟାଣ୍ଡମାଇନ ସଂସ୍ପର୍ଶରେ ଆସିବାରୁ ତାହା ବିସ୍ଫୋରଣ ହୋଇଥିଲା । ଫଳରେ ଯୁବକ ଜଣକଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପୋଲିସ ଅଧିକାରୀ ପହଞ୍ଚି ନଥିବା ଜଣାପଡିଛି । ଅନ୍ୟପଟେ ଗତକାଲି ଘଟଣା ସ୍ଥଳରେ ପୋଲିସ ସହ ସନ୍ଧାନୀ କୁକୁର ଦଳ ଯାଇ ଗୋଟିଏ ବୋମାକୁ ଫୁଟାଇଥିବା ବେଳେ ଗୋଟିଏ ବୋମାକୁ ନିଷ୍କ୍ରିୟ କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଭୟର ବାତାବରଣ ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ...ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ, ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ
କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଡମ୍ବ କର୍ଲାଖୁଣ୍ଟା ନିକଟରେ ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣେ କାର୍ଯ୍ୟରତ ସାମ୍ବାଦିକ ରୋହିତ ବିଶ୍ବାଳଙ୍କର ପ୍ରାଣହାନୀ ଘଟିଥିଲା । ଘଟଣାକୁ ଦିନ କେଇଟା ନପୁରୁଣୁ ଆଉ ଏକ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ