ଫୁଲବାଣୀ: ନିର୍ବାଚନ ଯେପରି ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ହେବ ସେନେଇ ରାଜ୍ୟ ନିର୍ବାଚନ ଅଧିକାରୀ କଡା ନିର୍ଦ୍ଦେଶ ଦେଇଥିଲେ । ହେଲେ କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଳକର ସାରଙ୍ଗଗଡ ପଞ୍ଚାୟତ ସରପଞ୍ଚ ନିର୍ବାଚନକୁ ନେଇ ଖୋଦ ପ୍ରାର୍ଥୀ ଦୀନବନ୍ଧୁ ପ୍ରଧାନ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ସୋମବାର ସାମ୍ବାଦିକ ସମ୍ମିଳନୀରେ ସଙ୍ଗୀନ ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ, କ ନୂଆ ଗାଁ ବ୍ଳକ ଗଣତି ହଲରେ ସିସି ଟିଭି ଲାଗିବା କଥା ହେଲେ, ସିସି ଟିଭି କୁଆଡେ ଲାଗିନଥିବା ନେଇ ପ୍ରାର୍ଥୀ ପ୍ରଧାନ ଅଭିଯୋଗ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ସରପଞ୍ଚପ୍ରାର୍ଥୀ ଭାବେ ଦୀନବନ୍ଧୁ ପ୍ରଧାନ ଓ ତାଙ୍କ ପ୍ରତିଦ୍ବନ୍ଦ୍ବୀ ବରୁଣ କହଁରଙ୍କ ଭୋଟ ସମାନ ହେବାରୁ ବ୍ଳକ ନିର୍ବାଚନ ଦାୟିତ୍ୱରେ ଥିବା ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଆଇନ ପ୍ରକାରେ ଧର୍ମଗୁଳା ପକାଇଥିଲେ । ଏଥିରେ ଦୀନବନ୍ଧୁଙ୍କ ପ୍ରତିଦ୍ବନ୍ଦୀ ବରୁଣଙ୍କୁ ବିଜୟୀ ଘୋଷଣା କରିଥିଲେ ବିଡ଼ିଓ ପାତ୍ର । ତେବେ ପ୍ରାର୍ଥୀ ଦୀନବନ୍ଧୁଙ୍କ ଏଜେଣ୍ଟ ସୁଧୀର ସାହୁ ପୁନଃ ଗଣତି ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ବିଡ଼ିଓ ପାତ୍ର ଶୁଣିନଥିଲେ । ଫଳରେ ପ୍ରାର୍ଥୀ ଦୀନବନ୍ଧୁ ଓ ତାଙ୍କ ସମର୍ଥକ ମାନେ ଆଜି ସୋମବାର ଏନେଇ କନ୍ଧମାଳ ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିବା ସହ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଅଭିଯୋଗ କରିଥିବା କଥା ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ସମସ୍ତ ଭୋଟ ପୁନଃ ଗଣତି ଦାବି କରିଛନ୍ତି । ନଚେତ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ଦୀନବନ୍ଧୁ । ଶାସକ ଦଳ ପ୍ରଭାବରେ ବିଡ଼ିଓ ପାତ୍ର ପ୍ରଭାବିତ ହୋଇ ଜାଲିଆତି କରିଥିବା ଅଭିଯୋଗ କରିଛନ୍ତି ଦୀନବନ୍ଧୁ ପ୍ରଧାନ । ତେବେ ସବୁ କିଛି ନୀତି ନିୟମ ପ୍ରକାରେ ହୋଇଥିବା କ ନୂଆଗାଁ ବିଡ଼ିଓ ଶରତ ପାତ୍ର କହିଛନ୍ତି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ