ଫୁଲବାଣୀ: କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ ଭାବେ ମନୋନୀତ ସଭ୍ୟ ସଭ୍ୟାମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା ସଭା ସ୍ଥାନୀୟ କରୋନେସନ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଯୋଗଦେଇ ସମସ୍ତ ମନୋନୀତ ସଭ୍ୟ ଓ ସଭ୍ୟା ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ । ନୂତନ ଭାବେ ମନୋନୀତ ସଭ୍ୟସଭ୍ୟାମାନେ ଜାଗ୍ରତ ପ୍ରହରୀଭାବେ ଆଦିବାସୀ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ।
ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଦୀପ ମାଝୀ କହିଛନ୍ତି, ବିଲୁପ୍ତ ହୋଇଯାଇଥିବା ଆଦିବାସୀ କଳା,ସଂସ୍କୃତି, ପରମ୍ପରା,ଜାନିଯାତ୍ରା, ପୂଜା ପୀଠ,ସାଂସ୍କୃତିକ କାର୍ଯ୍ୟକ୍ରମର ପୁନରୁଦ୍ଧାର କରିଲେ ଆଦିବାସୀ ସମାଜର ଉନ୍ନତି ହୋଇଯିବ ନାହିଁ । ସେମାନଙ୍କ ଜୀବନ ଜିବିକାର ଉନ୍ନତି ହେବାର ଆବଶ୍ୟକତା ମଧ୍ୟ ରହିଛି । ଆଗାମୀ ଦିନରେ ସେମାନଙ୍କର ଭବିଷ୍ୟତ କ'ଣ ରହିବ, ଆଧୁନିକ ସମାଜ ସହିତ ତାଳ ଦେଇ ଚାଲିବା ପାଇଁ ବ୍ୟବସ୍ଥା, ଓଡ଼ିଶାର ସମୁଦାୟ ୬୨ ବର୍ଗର ବା ଜାତିର ଆଦିବାସୀ ଭାଇଭଉଣୀ ମାନଙ୍କୁ ଏକାଠି କରିବା, ସମସ୍ତେ ସମସ୍ତଙ୍କର ସମସ୍ୟା ବିଷୟରେ ଅବଗତ ହେବା ସହିତ ସମାଧାନ ପାଇଁ ବ୍ୟବସ୍ଥା କରିବା । ଏଥିସହ ଯୁବ ଗୋଷ୍ଠୀଙ୍କୁ କୁସଂସ୍କାରରୁ ଦୂରେଇ ରଖିବା ପାଇଁ ସଚେତନ କରିବା, ସେମାନଙ୍କର ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ କରିବା, ରାଜ୍ୟ ଓ ରାଜ୍ୟ ବାହାରେ ତଥା ବିଦେଶରେ ଉଚ୍ଚ ଶିକ୍ଷା ପାଇଁ ମାଗଣା କୋଚିଂର ବ୍ୟବସ୍ଥା କରିବା, ରାଜ୍ୟର ସମସ୍ତ ଅନୁସୂଚିତ ଜନଜାତି ବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର ବାସଗୃହ ଯୋଗାଇଦେବା, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦନ ପାଇଁ ୩୫ଲକ୍ଷ ଟଙ୍କା ଅନୁଦାନର ଗୃହ ନିର୍ମାଣ, ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଇ-କମର୍ସ ଆପ୍ ଯୋଗେ ନିଜ ନିଜର ଉତ୍ପାଦନକୁ ବିକ୍ରୟ କରିବା ହେଉଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟବୋଲି ପ୍ରଦୀପ ମାଝୀ କହିଛନ୍ତି ।
ସେଥିପାଇଁ ମୁଖ୍ୟମନ୍ତ୍ରୀ ୨୬୭ କୋଟି ଅନୁଦାନ ଦେଇଛନ୍ତି ଏବଂ ସଠିକ ଭାବେ ଖର୍ଚ୍ଚ କଲେ ଆଗକୁ ୪୦୦ରୁ ୫୦୦ କୋଟି ଟଙ୍କା ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି । ଓଡ଼ିଶାର ୯ ଗୋଟି ଜିଲ୍ଲାର ଆଦିବାସୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ଗଠିତ ଏହି ପରିଷଦ ଆଗାମୀ ଦିନରେ ହଜି ଯାଉଥିବା ଆଦିବାସୀ ଲୋକ କଳା, ସଂସ୍କୃତି, ପରମ୍ପରା ଇତ୍ୟାଦିକୁ ନିଶ୍ଚିତ ରୂପେ ପୁନରୁଦ୍ଧାର କରିବ ବୋଲି କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରଦନ ମଲ୍ଲିକ ଏବଂ ଉପାଧ୍ୟକ୍ଷ ନଳିନୀ କହଁର କହିଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷା ଅନିମା କହଁର, କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ ଭାବେ ମନୋନୀତ ସଭ୍ୟସଭ୍ୟା ଏବଂ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ସମେତ ଜିଲ୍ଲା ଆଦିବାସୀମାନେ ଯୋଗଦେଇଥିଲେ ।
ଇଟିଭି ଭାରତ, କନ୍ଧମାଳ