ଫୁଲବାଣୀ: ପୁଣି ଖାକିରେ ଦାଗ । ଗଞ୍ଜେଇ ମାଫିଆ ଗ୍ୟାଙ୍ଗରେ ପୋଲିସ । କଟକ ଜିଲ୍ଲା ସାଲେପୁର ଥାନାରେ କାର୍ଯ୍ୟରତ ହୋମଗାର୍ଡ କ୍ଷୀରୋଦ କୁମାର ସାହୁଙ୍କୁ ଗଞ୍ଜେଇ ଚାଲାଣ ବେଳେ ଧରିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ । ଗଞ୍ଜେଇ ମାଫିଆଙ୍କ ସହ ମିଶି ଗଞ୍ଜେଇ ଚାଲାଣ କରୁଥିବାବେଳେ କାମ୍ପପଡ଼ା ନିକଟରେ ଧରିଥିଲା ବାଲିଗୁଡ଼ା ପୋଲିସ । ସଂପୃକ୍ତ କାରରୁ ୪୦ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ହୋମଗାର୍ଡ କ୍ଷୀରୋଦ ସହିତ ବାଲିଗୁଡ଼ା ବାଲିଶୁଗାର ପୂର୍ଣ୍ଣଚନ୍ଦ୍ର ମଳିକ ଓ ମାଡ଼ିନାଟର ଶଶି ମଳିକକୁ ଗିରଫ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ।
ଦୁଇ ଦିନ ପୂର୍ବରୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନାରେ କାର୍ଯ୍ୟରତ କନେଷ୍ଟବଳ ବିଶ୍ବମ୍ବର ବେହେରା ଗଞ୍ଜେଇ ମାଫିଆଙ୍କ ସହ ମିଶି ଗଞ୍ଜେଇ ଚାଲାଣ କରୁଥିବା ବେଳେ ଏବେ ଆଉ ଜଣେ ପୋଲିସ ଧରା ପଡ଼ିଛନ୍ତି । ବାଲିଗୁଡ଼ାର କାମ୍ପପଡା ଠାରେ କଟକ ସାଲେପୁର ଥାନାର ହୋମଗାର୍ଡ କ୍ଷୀରୋଦ କୁମାର ସାହୁ ଅନ୍ୟ ଦୁଇ ଗଞ୍ଜେଇ ମାଫିଆମାନଙ୍କ ସହ ମିଶି ଗଞ୍ଜେଇ ନେଇ କଟକ ଯାଉଥିବା ବେଳେ ଧରିଥିଲା ପୋଲିସ । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟରେ ଖେଳାଇଛି । ଜିଲ୍ଲାରେ କ୍ରାଇମ ବ୍ରାଞ୍ଚ STFକୁ ସ୍ଵତନ୍ତ୍ର ଭାବେ ଦାୟିତ୍ବ ଦିଆଯାଇଛି । ନକ୍ସଲଙ୍କ ଲିଙ୍କ ଗଞ୍ଜେଇ ମାଫିଆଙ୍କ ସହିତ ରହୁଥିବା କୁହାଯାଉଥିବା ବେଳେ ଏପରି ମାଫିଆ ପୋଲିସ ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରିଛନ୍ତି।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ