ଫୁଲବାଣୀ: ପୁଣି ସାମ୍ନାକୁ ଆସିଲା ଗାଁ ବିକାଶର ବିକଳ ଚିତ୍ର । ଟ୍ୟୁବ ସାହାଯ୍ୟରେ ନଦୀ ପାରି ହେଲେ ରୋଗୀ । ନଦୀ ଉପରେ ସେତୁ ନଥିବା କାରଣରୁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ରୋଗୀଙ୍କୁ ଟ୍ୟୁବରେ ବସାଇ ଖଡ୍ଗ ନଦୀରେ ପାର କରି ହସ୍ପିଟାଲ ଆଣିଲେ ରୋଗୀଙ୍କ ପରିବାରବର୍ଗ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗ ଗ୍ରାମ ପଞ୍ଚାୟତର କୁବେରମୁଣ୍ଡା ଗ୍ରାମର ଏପରି ଏକ ଦୟନୀୟ ଘଟଣା ସାମ୍ନାକୁ ଆସିଛି ।
ଏହି ଗ୍ରାମର 45ବର୍ଷୀୟ ରଘୁନାଥ ପ୍ରଧାନ ଦୀର୍ଘ 4ଦିନ ହେଲା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସ୍ଥିତି ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ପାଇଁ ବ୍ୟବସ୍ଥା କରିଥିଲେ । ତେବେ ମେଡିକାଲ ଯିବା ପାଇଁ ଖଡ୍ଗ ନଦୀ ପାର ହେବାକୁ ପଡିଥାଏ । ଦୀର୍ଘ ଦିନଧରି ନଦୀରେ ସେତୁ ନର୍ମାଣ ପାଇଁ ଗାଁ ଲେକୋ ଦାବି କରୁଥିଲେ ମଧ୍ୟ ପ୍ରଶାସନ ଶଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଫଳରେ ଜନନୀ ଯନ୍ତ୍ରଣା ସହ ଅନ୍ୟ ରୋଗୀ ମଧ୍ୟ ସମସ୍ୟା ଭୋଗୁଛନ୍ତି । ରୋଗୀ ସମସ୍ୟା ଦେଖାଗଲେ ଏପରି ଭାରରେ ବୁହି ବା ଟ୍ୟୁବ୍ ସାହାଯ୍ୟରେ ନଦୀ ପାର କରି ମେଡିକାଲରେ ଭର୍ତ୍ତି କରୁଛନ୍ତି ଗ୍ରାମବାସୀ ।
ସାଇନପଡାକୁ ଯିବାକୁ ଖଡ୍ଗ ନଦୀରେ ଏକ ସେତୁ ଆବଶ୍ୟକ ଥିବା ବେଳେ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ପାରିନି । ଫଳରେ ଅସୁବିଧାର ସମୁଖୀନ ହେଉଛନ୍ତି ଅଞ୍ଚଳବାସୀ । କୁବେର ମୁଣ୍ଡା ଗ୍ରାମରେ 15ପରିବାର ରହୁଥିବା ବେଳେ ଗ୍ରାମକୁ ଯିବା ପାଇଁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ କିମ୍ବା କୌଣସି ଯାନ ବାହାନ ପହଞ୍ଚି ପାରେ ନାହିଁ । ଯାହା ଫଳରେ ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ଭଳି ମୌଳିକ ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ଏଠାକାର ବାସିନ୍ଦା । ସେପଟେ କୁବେରମୁଣ୍ଡା ଗ୍ରାମଠାରୁ ନୂଆଗାଁକୁ ଯିବା ପାଇଁ ହେଲେ ପାଖାପାଖି 22କିଲୋମିଟର ଯିବାକୁ ହୁଏ । ଗାଁରେ ରାସ୍ତ ନଥିବା କାରଣରୁ ବିଭିନ୍ନ ସମୟରେ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ।
ଏହା ମଧ୍ୟ ପଢନ୍ତୁ..ଗାଁ ବିକାଶର ଅସଲି ଚିତ୍ର, ଖଟିଆରେ 8 କିମି ବୁହାହେଲେ ମ୍ୟାଲେରିଆ ରୋଗୀ
ତେବେ କିଛି ଦିନ ତଳେ ଗଜପତିରେ ରାସ୍ତା ନଥିବା କାରଣରୁ ଜଣେ ମ୍ୟାଲେରିଆ ରୋଗୀ ଭାରରେ ବୁହା ହୋଇଥିଲେ । ରାସ୍ତା ନଥିବା କାରଣରୁ ଆମ୍ବୁଲାନ ଗାଁଠାରୁ 8 କିମି ଦୂରରେ ଅଟକି ଯାଇଥିଲା । ଫଳରେ ଗାଁ ଲୋକେ ମହିଳାଙ୍କୁ ଭାରରେ ବୋହି 8 କିମି ନେବା ପରେ ଆମ୍ବୁଲାନ୍ସରେ ଯୋଗେ ଉଦୟଗିରି ମେଡିକାଲକୁ ନିଆଯାଇଥିଲା ।
ଇଟିଭି ଭାରତ, କନ୍ଧମାଳ