ଫୁଲବାଣୀ: ତିନିଦିନ ନିଖୋଜ ପରେ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ କିନାରୀ ନୂଆଗାଁ ସ୍ଥିତ ବାଡ଼ାସୁରୁ ଜଙ୍ଗଲରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତକ ଜଣକ ହେଲେ ଜଗଦୀଶ ପାତ୍ରଙ୍କ ୨୫ ବର୍ଷର ପୁଅ ଅକ୍ଷୟ ପାତ୍ର ।
ସୂଚନା ଅନୁସାରେ, ଅକ୍ଷୟ ପାତ୍ର ଗତ ସୋମବାରଠାରୁ ନିଖୋଜ ଥିବା ବେଳେ ପରିବାର ଲୋକ ବହୁ ଆଡ଼େ ଖୋଜାଖୋଜି ପରେ ଶେଷରେ ବାଡ଼ିସରୁ ଜଙ୍ଗଲରୁ ପୁଅର ମୃତଦେହ ଏକ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଏହା ପରେ ପରିବାର ଲୋକ ବ୍ରାହ୍ମଣୀଗାଁ ଥାନାରେ ସୂଚନା ଦେଇଥିଲେ । ସୂଚନା ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବ୍ରାହ୍ମଣୀଗାଁ ମେଡିକାଲକୁ ପଠାଇଥିଲେ । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆଣାଯାଇଛି ।
ଏପଟେ କେହି ଦୁର୍ବୃତ୍ତ ପୁଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ