ଫୁଲବାଣୀ : ଛୋଟ ଛୁଆଙ୍କ କଳିରୁ ଗଣ୍ଡଗୋଳ, ମାରପିଟ ସହ ଧସ୍ତାଧସ୍ତି ଓ ପରେ ହତ୍ୟା। ଏପରି ଘଟଣା ଘଟିଛି ଫୁଲବାଣୀ ପିଅନ ପଡ଼ାରେ । ରବିବାର ଏହି ଘଟଣା ଘଟିଥିବା ବେଳେ ସୋମବାର ଅଭିଯୁକ୍ତ କାଳିଚରଣ ସାହୁକୁ ଓରଫ କାଳିଆକୁ ଗିରଫ କରିଛି ପୋଲିସ।
ସୂଚନା ଅନୁସାରେ ମୃତ ବୃଦ୍ଧ ଲଡୁକିଶୋରଙ୍କ ନାତି ଓ ଅଭିଯୁ୍କ୍ତ କାଳି ଚରଣଙ୍କ ନାତି ଭିତରେ ଝଗଡା ଲାଗିଥିଲା । ଯାହାକୁ ନେଇ ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ପାଟିତୁଣ୍ଡ ଭିତରେ ଉତ୍ତ୍ୟକ୍ତ କାଳିଚରଣ ଲଡୁକିଶୋରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ବୃଦ୍ଧଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସତ୍କାର କରାଯାଇଛି। ଗିରଫ କାଳିଆକୁ ପୋଲିସ ପଚରାଉଚରା କରିବା ସହ ଘଟଣାସ୍ଥଳକୁ ନେଇ ତଦନ୍ତ କରିଛି ।
ଅଭିଯୁକ୍ତକୁ ପରେ ଜିଲ୍ଲା କୋର୍ଟରେ ହାଜର କରିଛି ପୋଲିସ । ଏସଡିଜେଏମ କୋର୍ଟ ଜାମିନ ନାମଞ୍ଜୁର କରିବା ପରେ ଅଭିଯୁକ୍ତକୁ ଜେଲକୁ ପଠାଯାଇଛି । ତେବେ ସେ ହତ୍ୟା କରିନାହିଁ, କେବଳ ପାଟିତୁଣ୍ଡ କରିଥିବା କହିଛି। ଏହି ହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଆଲୋଡନ ସୃଷ୍ଟି ହୋଇଛି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ