ଫୁଲବାଣୀ: ରାଜ୍ୟରେ ଦିନକୁ ଦିନ ଲୁଟେରାଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଗତକାଲି(ମଙ୍ଗଳବାର) ଦିନ ଦ୍ବିପହରରେ ଫୁଲବାଣୀ ଟାଉନ ଥାନା ନିକଟରୁ ବାଇକ ଡିକି ଭାଙ୍ଗି ପ୍ରାୟ ଦେଢ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି । ଲୁଟର ଶିକାର ହୋଇଛନ୍ତି କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ ।
ସୂଚନାଅନୁସାରେ, ହରିଶ୍ଚନ୍ଦ୍ର ଷ୍ଟେଟ ବ୍ୟାଙ୍କରୁ ୧ ଲକ୍ଷ ୪୭ ହଜାର ଟଙ୍କା ଉଠାଇ ଟଙ୍କା ଧରି ବ୍ୟାଙ୍କରୁ ବାହାରକୁ ଆସି ବିକାଶ ପ୍ଲାଜ଼ା ଥିବା ତାଙ୍କ ଭାଇଙ୍କ ଦୋକାନକୁ ଯାଇଥିଲେ । ଗାଡିଠୁ 10 ଫୁଟ ଦୂରରେ ରହି ଭାଇଙ୍କ ସହିତ କଥା ହେଉଥିବାବେଳେ ଦୁର୍ବୃତ୍ତମାନେ ପୂର୍ବରୁ ପିଛାକରି ବାଇକରେ ଆସି ଆଖି ପିଛୁଳାକେ ସବୁ ଟଙ୍କା ଗାଡି ଡିକିରୁ ନେଇ ଫେରାର ହୋଇଯାଇ ଥିଲେ । ହରିଶ୍ଚନ୍ଦ୍ର ଏନେଇ ଟାଉନ ଥାନାରେ ଏତେଲା ଦେବାକୁ ଯାଇଥିଲେ ହେଁ ଥାନାରେ ପୋଲିସ ଅଧିକାରୀଙ୍କ ଅନୁପସ୍ଥିତି ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ।
ସହରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଛକ ସ୍ଥାନ ମାନଙ୍କରେ ସିସିଟିଭି ଲଗାଯାଇ ଥିଲେ ମଧ୍ୟ ତାହା କାମରେ ଆସୁଛି କି ନାହିଁ ଜଣାପଡୁନି । ଗତ ବର୍ଷକ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ପାଞ୍ଚରୁ ସାତଟି ଲୁଟ ଘଟଣା ଘଟିଥିଲେ ମଧ୍ୟ ଟାଉନ ପୋଲିସକୁ ଗୋଟିଏ ମଧ୍ୟ ସଫଳତା ନମିଳିବା ପୋଲିସର ପାରିବା ପଣିଆକୁ ପଦାରେ ପକାଇ ଦେଇଛି । ଟାଉନ ପୋଲିସର ହୁଗୁଳା ଶାସନ ସାଙ୍ଗକୁ ନିଷ୍କ୍ରିୟତା ଯୋଗୁଁ ଲୁଟେରା ମାନେ ନିର୍ଭୟରେ ଲୁଟ କରି ଚାଲିଥିବା ଅଭିଯୋଗ ହେଉଛି । ତେବେ ଖବରପାଇ ଏସିପିଓ ମହେନ୍ଦ୍ରନାଥ ମୁର୍ମୁ ଘଟଣାର ଛାନଭିନ କରୁଥିଲେ ମଧ୍ୟ ଏଯାଏ ଲୁଟେରାଙ୍କ ଟେର ମିଳିନାହିଁ । କନ୍ଧମାଳ ଏସ୍ପି ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ଇଟିଭି ଭାରତ, କନ୍ଧମାଳ