ଫୁଲବାଣୀ: କୋରୋନା ପ୍ରତିହତ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଉଛନ୍ତି । ଏଥିପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି । ସେପଟେ ଓଡିଶାର ବିଭିନ୍ନ ଜିଲ୍ଲାରେ କୋଭିଡ ମେଡିକାଲର ଶୁଭାରମ୍ଭ କରାଯାଉଛି । ଟିମ୍ ପାଣ୍ଡିଆନ ମଧ୍ୟ ଘନ ଘନ ବିଭିନ୍ନ ଜିଲ୍ଲାକୁ ଗସ୍ତ କରି କୋଭିଡ ହସ୍ପିଟାଲ ପରଦର୍ଶନ କରୁଛନ୍ତି । ଏହି କ୍ରମରେ ଶନିବାର 5'ଟି' ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କନ୍ଧମାଳ ଜିଲ୍ଲା ଗସ୍ତ କରି କନ୍ଧମାଳ କୋଭିଡ ହସ୍ପିଟାଲ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।
![Phulbani covid Hospital visited 5T Secretaries and the Chief Secretary](https://etvbharatimages.akamaized.net/etvbharat/prod-images/6843294_od_knd_vk-pandian-visit_rtg-3.bmp)
![Phulbani covid Hospital visited 5T Secretaries and the Chief Secretary](https://etvbharatimages.akamaized.net/etvbharat/prod-images/6843294_od_knd_vk-pandian-visit_rtg-2.bmp)
ସେପଟେ ପାଣ୍ଡିଆନ ଓ ତାଙ୍କ ଟିମଙ୍କ ଗସ୍ତକୁ ନେଇ ଚଳଚଞ୍ଚଳ ହୋଇ ଉଠିଥିଲା କନ୍ଧମାଳ ଜିଲ୍ଲା ପ୍ରଶାସନ । ପୂରା ଦମରେ ଲାଗିପଡିଥିଲେ ସରକାରୀ ଦଳ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା କୋଭିଡ ହସ୍ପିଟାଲ ଓ ସରକୁଳାର ରୋଡ଼, ନଦୀଖଣ୍ଡି ସାହିକୁ ସାନିଟାଇଜ କରାଯାଇଥିଲା । ପୌରପାଳିକା ରାସ୍ତା ଘାଟ ସଫା କରିବାରେ ଲାଗି ପଡିଥିଲେ । ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରି ରଖିବା ସହ ଗଣମାଧ୍ୟମକୁ ବାରଣ କରାଯାଇଥିଲା। ଗୁଦାରି ଏୟାର ଷ୍ଟ୍ରିପରେ ପହଞ୍ଚିବା ପରେ ପରେ ସିଧାସଳଖ କୋଭିଡ ହସ୍ପିଟାଲକୁ ଆସିଥିଲେ ମୁଖ୍ୟ ଶାସନ ସଚିବ ଓ 5'ଟି' ସଚିବ ।
150 ଶଯ୍ୟା ବିଶିଷ୍ଟ ଏହି ସ୍ୱତନ୍ତ୍ର କୋଭିଡ ହସ୍ପିଟାଲରେ ଥିବା ଆବଶ୍ୟକତା ଓ ଅସୁବିଧା ସମ୍ପର୍କରେ ବୁଝିଥିଲେ । ଏହାସହ ଜିଲ୍ଲାପାଳ ଡା ବୃନ୍ଦା ଡି, ସିଡିଏମଓ, କିମ୍ସ ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । 10 ଶଯ୍ୟା ବିଶିଷ୍ଟ ଆଇସିୟୁ ଓ କ୍ରିଟିକାଲ ରୋଗୀଙ୍କ ପାଇଁ ଭେଣ୍ଟିଲେଟର ଓ ଅନ୍ୟାନ୍ୟ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ । ମାତ୍ର 15 ମିନିଟର ଗସ୍ତ ଶେଷ କରି ଫେରିଥିଲେ ସିଏମଙ୍କ ସଚିବ ଓ ମୁଖ୍ୟ ଶାସନ ସଚିବ ।
10 ଦିନର ରେକର୍ଡ ସମୟରେ ଏହି ସ୍ୱତନ୍ତ୍ର କୋଭିଡ ମେଡିକାଲ ପ୍ରସ୍ତୁତ ହୋଇଥିବା ବେଳେ ଜିଲ୍ଲାପ୍ରଶାସନର ସମସ୍ତ ପ୍ରସ୍ତୁତିରେ ସନ୍ତୋଷ ପ୍ରକଟ କରିଥିଲେ ଉଭୟ ସଚିବ ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ