ଫୁଲବାଣୀ: ଆସୁଛି ସାମ୍ଭାବ୍ୟ ବାତ୍ୟା ଜୱାଦ । ଯାହାକୁ ନେଇ ଚିନ୍ତାରେ ପଡିଛି କନ୍ଧମାଳ ଚାଷୀ । ଏବେ ବିଲରୁ ଧାନ କାଟି ନେଉଥିବା ଦେଖିବାକୁ ମିଳିଛି । ବର୍ଷା ହେଲେ କାଳେ ଧାନ ବିଲରେ ପାଣି ଜମିଯିବ । ପାଚିଲା ଧାନ ଅମଳ ନ ହୋଇ ପଚି ନଷ୍ଟ ହୋଇଯିବ । ଏଣୁ ଧାନ ସବୁ କାଟି ନେଇଥିବା କହିଛନ୍ତି ଚାଷୀ । ଅନ୍ତତଃ ଘରେ ଧାନ ସବୁ ସୁବିଧା ଦେଖି ସାଇତି ରଖିଲେ କିଛିଟା ବଞ୍ଚିଯିବା । ଆବଶ୍ୟକ ଅନୁସାରେ ବଡ଼ ପାଲ ବି ନାହିଁ । ବାହାରେ ରଖିଲେ ବି ନଷ୍ଟ ହୋଇଯିବ। ଏ ବର୍ଷ ମୌସୁମୀ ବିଳମ୍ବରେ ଆସିବା ଫଳରେ ଧାନ ମଧ୍ଯ ଟିକିଏ ବିଳମ୍ବରେ ରୋଇଥିଲେ ଚାଷୀ । ଫଳରେ ଧାନଗୁଡିକ ପାଚି ନ ଥିଲେ ମଧ୍ୟ ସେଗୁଡିକ କାଟି ଖଳାକୁ ଆଣୁ ଥିବା କହିଛନ୍ତି ଚାଷୀ ।
ଯଦି ଲଘୁଚାପ ଜନିତ ବର୍ଷା ଲାଗି ରହେ । ତେବେ ବିଲରେ ଥିବା ଧାନ ସବୁ ନଷ୍ଟ ହୋଇଯିବ । ଏପଟେ ବର୍ଷା ହେଲେ ଖଳାରେ ଥିବା ଧାନ ଗଜା ହେବାର ସମ୍ଭାବନା ରହିଛି । ଫଳରେ ଖଳରେ ଧାନ କିପରି ସୁରକ୍ଷିତ ଭାବେ ରହିବ ତାକୁ ଘୋଡ଼ାଇ ରଖିବାରେ ଲାଗିଛନ୍ତି ଚାଷୀ । ଧାନ ଘଡେଇବା ପାଇଁ ଚାଷୀଙ୍କ ପାଖରେ ପାଲ ନଥିବାରୁ ତୁରନ୍ତ ପାଲ ଯୋଗାଇବାକୁ ଦାବି କରିଥିବା ବେଳେ ରୁଣ ଭାର କନ୍ଧରେ ଥିବାରୁ ଚାଷୀ ମୁଣ୍ଡରେ ଚଡକ ପଡିଛି ।
ସେପଟେ ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାରଙ୍କ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚିତ କରୁଛି ଜିଲା ପ୍ରଶାସନ । ସରକାର କିମ୍ବା କୃଷି ବିଭାଗ ପକ୍ଷରୁ ମଧ୍ଯ ସେ ଭଳି କିଛି ସହାୟତା ମିଳୁ ନ ଥିବା କଥା ଅଭିଯୋଗ କରିଛନ୍ତି ଚାଷୀ। ତେବେ ଏନେଇ କୃଷି ବିଭାଗ ଅଧିକାରୀ କୌଣସି ପ୍ରତିକ୍ରିୟା ନ ଦେଇ ଚୁପ ରହିବା 6କତେ ଦୁର ଯୁକ୍ତିଯୁକ୍ତ ତାକୁ ନେଇ ଉଠିଛି ପ୍ରଶ୍ନ ?
କନ୍ଧମାଳରୁ ସଞ୍ଜୟ ପାତ୍ର ,ଇଟିଭି ଭାରତ