ଫୁଲବାଣୀ: କନ୍ଧମାଳ ଜିଲ୍ଲା ପରିବହନ ବିଭାଗର (Regional Transport Office) ରେକର୍ଡ ସଂଖ୍ୟକ ରାଜସ୍ଵ ଆଦାୟ (Revenue collection) । କୋରୋନା ମହାମାରୀ ସତ୍ତ୍ଵେ କନ୍ଧମାଳ ଜିଲ୍ଲା ପରିବହନ ବିଭାଗ ରାଜସ୍ବ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୨୦୧୯-୨୦ରେ ୧୨କୋଟି ୨୬ ଲକ୍ଷ ଟଙ୍କା ରାଜସ୍ବ ଆଦ।ୟ ହୋଇଛି । ପରିବହନ କମିଶନର ଅରୁଣ ବୋଥ୍ରା (ଆଇପିଏସ) ଚିଠି ନମ୍ବର ୧୩୨୩୩ ଚିଠି ଲେଖି ରାସ୍ତାରେ ଗାଡି ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିବା ଗ୍ରାମାଞ୍ଚଳର ପ୍ରତ୍ୟେକ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ରାଜସ୍ବ ଆଦାୟରେ ସଫଳତା ପାଇଁ ଜିଲ୍ଲାକୁ ପ୍ରଶଂସା କରିଛନ୍ତି କମିଶନର।
ଜିଲ୍ଲା ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତରାଏଙ୍କ ଆନ୍ତରୀକତା, ନିଷ୍ଠା ଓ ଆଗ୍ରହ ଦେଖାଇଥିବାରୁ ଜିଲ୍ଲାର ୪ଟି ପରିବାର ସରକାରଙ୍କ ସହାୟତା ରାଶି ପାଇ ଉପକୃତ ହୋଇପାରିଛନ୍ତି । କମିଶନର ବୋଥ୍ରା ତାଙ୍କୁ ସାଧୁବାଦ ଜଣାଇବା ସହ ପରିବହନ ଅଧିକାରୀ ସାମନ୍ତରାଏଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିଛନ୍ତି। ଆଗକୁ ଏଭଳି କାର୍ଯ୍ୟ ଜାରୀ ରଖିବା ଲାଗି ସେ ପରାମର୍ଶ ଦେଇଛନ୍ତି । ସେହିପରି ତତ୍କାଳୀନ ପରିବହନ କମିଶନର ସଞ୍ଜିବ କୁମାର ପଣ୍ଡା ଚିଠି ନମ୍ବର ୧୦୯୪୮ରେ ଗତ ୧୦ ଡିସେମ୍ବର ୨୦୨୦ରେ ଫୁଲବାଣୀ ପରିବହନ ଅଧିକାରୀ ଗତିକୃଷ୍ଣ ସାମନ୍ତ ରାଏଙ୍କୁ ଚିଠି ଲେଖି ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି । କାର୍ଯ୍ୟକ୍ରମ ସମୀକ୍ଷା କରି ତତ୍କାଳୀନ କମିଶନର ପଣ୍ଡା ଫୁଲବାଣୀ ଠାରେ ଏଡିଟିସ କାର୍ଯ୍ୟ ଉଚ୍ଚ ମାନର ହୋଇଥିବା ସାଙ୍ଗକୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସରିପାରିଥିବାରୁ ଏହା ଏକ ସୁନ୍ଦର ପ୍ରୟାସ ବୋଲି କହିବା ସହ ପରିବହନ ଅଧିକାରୀ ସାମନ୍ତରାଏଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ,କାର୍ଯ୍ୟଦକ୍ଷତା, ସଚ୍ଚୋଟତା, ଆଗ୍ରହ ଓ ସର୍ବୋପରି ଉନ୍ନତ ଜ୍ଞାନକୌଶଳ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି । ଏହା ଅନ୍ୟ ଅନ୍ୟ ପରିବହନ ଅଧିକାରୀମାନଙ୍କ ପାଇଁ ଉଦାହରଣ ହେବ ।
କେବଳ ସେତିକି ନୁହେଁ ଗତ ୩ ବର୍ଷ ଧରି ରାଜସ୍ଵ ଆଦାୟ ଦିଗରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ଆଶାତୀତ ସଫଳତା ହାସଲ କରିଥିବା ଅନଲାଇନ ଓ ଡିଲର ପଏଣ୍ଟ ରେଜିଷ୍ଟ୍ରେସନ ବ୍ୟବସ୍ଥାକୁ ତ୍ବରାନ୍ବିତ କରିଥିବା ନେଇ ମଧ୍ୟ ଚିଠିରେ ଉଲେଖ ଅଛି । ସେହିପରି ଚିଠି ନମ୍ବର ୨୭୩ ପୁନର୍ବାର ଚିଠି ଲେଖି କମିଶନର ପଣ୍ଡା ଗତ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଅଟୋମେଟ୍ଡ଼ ଡ୍ରାଇଭିଙ୍ଗ ଟେଷ୍ଟିଙ୍ଗ ସିଷ୍ଟମ (ଏଡିଟିଏସ) ଟ୍ରାକ ଦେଖି ଖୁବ୍ ଖୁସି ବ୍ୟକ୍ତ କରିଥିଲେ । ଏହା ଦ୍ଵାରା ଆଗକୁ ସଚ୍ଚୋଟତାର ସହ କାମ କରିବାଲାଗି ଆଗ୍ରହ ଆସିବ ବୋଲି ପରିବହନ ଅଧିକାରି ଗତିକୃଷ୍ଣ ସାମନ୍ତରାଏ କହିଛନ୍ତି ।
ଚଳିତବର୍ଷ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲ୍ଲାରେ ମୋଟ ୪ କୋଟି ୬ଲକ୍ଷ ୭ ହଜାର ୮୮ଟଙ୍କା ରାଜସ୍ବ ଆଦାୟ ହୋଇଥିବା ଜିଲ୍ଲା ପରିବହନ ଅଧିକାରୀ ସାମନ୍ତରାଏ କହିଛନ୍ତି । ସେହିପରି ଗତ ୨୦୨୦ – ୨୧ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ୭ କୋଟି ୮୬ ଲକ୍ଷ ୪୮ହଜାର ୬୬୦ ଟଙ୍କା ଆଦାୟ କରିଥିଲା ବିଭାଗ। ସେହିପରି ୨୦୧୯-୨୦ରେ ୧୨କୋଟି ୨୬ ଲକ୍ଷ ଟଙ୍କା ରାଜସ୍ବ ଆଦ।ୟ ହୋଇଥିଲା। ୨୦୧୮-୧୯ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ରାଜସ୍ବ ଆଦାୟ ହୋଇଥିବା ବିଭାଗ ସୁତ୍ରରୁ ଜଣାପଡିଛି ।
କନ୍ଧମାଳରୁ ସଞ୍ଜୟ ପାତ୍ର,ଇଟିଭି ଭାରତ