ଫୁଲବାଣୀ:ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବା ନେଇ ନିଷ୍ପତ୍ତି ନେଲେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ବେହେରାଗାଁ ଗ୍ରାମ ପଞ୍ଚାୟତବାସୀ । ଗାଁ ଯୁବମଞ୍ଚର ସଭାପତି ଅନନ୍ତ ଦିଗାଲଙ୍କ ସଭପତିତ୍ୱରେ ଶତାଧିକ ଗ୍ରାମବାସୀ ଏକତ୍ରିତ ହୋଇ ଏପରି ନିଷ୍ପତ୍ତି ନେଇଛନ୍ତି ।
୧୩ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତ । ଏଠାରେ ପାଖାପାଖି 2800ରୁ ଊର୍ଦ୍ଧ୍ବ ଭୋଟର ଅଛନ୍ତି । ସୂଚନା ଅନୁଯାୟୀ, ବେହେରାଗାଁ ଗ୍ରାମ ପଞ୍ଚାୟତ ଟିକାବାଲି ପଞ୍ଚାୟତ ସମିତିରେ ଥିଲା । ଆଜକୁ ୧୨ ବର୍ଷ ହେବ ଚକାପାଦ ସମିତିରେ ମିଶିବା ପରେ ମଧ୍ୟ ବେହେରାଗାଁ ଗ୍ରାମ ପଞ୍ଚାୟତବାସୀ ବର୍ତ୍ତମାନ ଟିକାବାଲି ପଞ୍ଚାୟତ ସମିତିର ଅଧିନରେ ଚାଲୁଅଛି । ଏହି ଗାଁ ଚକାପାଦ ପଞ୍ଚାୟତରେ ମିଶିବା ପରଠୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ବେହେରାଗାଁ ଗ୍ରାମ ପଞ୍ଚାୟତବାସୀ ଚାହୁଛନ୍ତି ଯେ, ପୁନର୍ବାର ବେହେରାଗାଁ ପଞ୍ଚାୟତକୁ ଟିକାବାଲି ପଞ୍ଚାୟତ ସମିତିରେ ସାମିଲ କରାଯାଉ । ପ୍ରଶାସନ ମଧ୍ୟ ବେହେରାଗାଁ ଗ୍ରାମ ପଞ୍ଚାୟତ ସମସ୍ତ ଜନସାଧାରଣଙ୍କର ବିନା ଅନୁମତିରେ ସଭା ସମିତି ନକରାଇ ବେହେରାଗାଁ ଗ୍ରାମ ପଞ୍ଚାୟତକୁ ଟିକାବାଲି ପଞ୍ଚାୟତ ସମିତିରୁ ବାଦ ଦେଇ ଚକାପାଦ ପଞ୍ଚାୟତ ସମିତିରେ ସାମିଲ କରାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ତେଣୁ ବେହେରାଗାଁ ଗ୍ରାମବାସୀ ଜନସାଧାରଣ ବିଶେଷ ଭାବରେ ଡାକ୍ତରଖାନା ତହସିଲ କାର୍ଯ୍ୟ ପାଇଁ ଘୁ.ଉଦୟଗିରି ବିଧାନ ମଣ୍ଡଳକୁ ଯିବାକୁ ପଡୁଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ବେହେରାଗ୍ରାମ ପଞ୍ଚାୟତକୁ ଟିକାବାଲି ପଞ୍ଚାୟତ ସମିତିରେ ସାମିଲ କରିବାକୁ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ବେହେରାଗାଁ ଗ୍ରାମ ପଞ୍ଚାୟତବାସୀ ।
କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ