କନ୍ଧମାଳ: ଜିଲ୍ଲାରେ ଜାରି ରହିଛି ଲଗାଣ ବର୍ଷା । ପ୍ରବଳ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି । ବ୍ୟାପକ କ୍ଷୟକ୍ଷତି । ଧନ ଜୀବନ ନଷ୍ଟ । ତୁହାକୁ ତୁହା ବର୍ଷାରେ ତୁମୁଡିବନ୍ଧ ବ୍ଲକ କେନ୍ଦୁପଡା ଗାଁରେ କାନ୍ଥ ପଡି ଜଣେ ମୃତ ।
ତିନିଦିନ ଧରି ଲାଗି ରହିଛି ବର୍ଷା । ଫଳରେ ଅନେକ ଘର ଭାଙ୍ଗିଯିବା ସହ ଦେଖାଦେଇଛି ବନ୍ୟା ପରିସ୍ଥିତି । କେନ୍ଦୁପଡା ଗାଁରେ ଘର ଭାଙ୍ଗି ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଗାଁର ମହମଦ ମାଝିଙ୍କ ସାନ ଝିଅ ପିଙ୍କିଙ୍କ ଉପରେ ଘର କାନ୍ଥ ଭୁଷୁଡି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି। ତେବେ ବାପା, ମା ଓ ବଡ ଭଉଣୀ ଅଳ୍ପକେ ରକ୍ଷା ପାଇଛନ୍ତି । ସେପଟେ ଗାଁକୁ ଯିବାକୁ ଥିବା ରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ବାହ୍ୟ ଜଗତରୁ ଗାଁ ବିଛିନ୍ନ ରହିଛି ।
ସେହିପରି ଗତ ତିନିଦିନ ଧରି ତୁମୁଡିବନ୍ଧ ନିକଟ ମୁଣ୍ଡୁଳୀପଦର ଠାରେ 59 ନମ୍ବର ଜାତୀୟ ରାଜପଥର ଡାଇଭରସନ୍ ରାସ୍ତା ଧୋଇ କନ୍ଧମାଳ ଜିଲ୍ଲାରୁ କଳାହାଣ୍ଡି, ରାୟଗଡା, ଗଞ୍ଜାମ ପ୍ରଭୃତି ଜିଲ୍ଲାକୁ ସଡକ ଯୋଗାଯୋଗ ବିଛିନ୍ନ ହୋଇଛି । ବର୍ଷା ହେତୁ ଜିଲ୍ଲାର ସମସ୍ତ ନଦୀ ବିପଦ ସଂକେତ ଉପରେ ରହିଛି । ବର୍ତ୍ତମାନ ସୁଦ୍ଧା 100ରୁ ଅଧିକ ଘର କ୍ଷତିଗ୍ରସ୍ଥ ହୋଇଥିବା ଆକଳନ କରାଯାଇଛି । ପାଞ୍ଚରୁ ଅଧିକ ପଞ୍ଚାୟତ ପାଣିଘେରରେ ଥିବା ସୂଚନା ମିଳିଛି ।
ଜିଲ୍ଲାରେ 3ଟି ଓଡ୍ରାଫ୍ ଟିମ୍ ରିଲିଫରେ ଲାଗିଛନ୍ତି । ହେକ୍ଟର ହେକ୍ଟର ଜମିର ଚାଷ ଉଜୁଡି ଯାଇଛି । ପାଣି ଘେରରେ କେତେକ ତଳିଆ ଗାଁ ରହିଛି । ସମସ୍ତେ ଏକ ହୋଇ ଏପରି ସମୟରେ କାମ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆରଆଇ, ତହସିଲଦାର, ବିଡିଓ ଓ କ୍ଷେତ୍ର କର୍ମଚାରୀଙ୍କୁ ରିଲିଫ୍ ଓ ଥଇଥାନ ତଥା ପୁନରୁଦ୍ଧାର ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ 2 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ନିଖୋଜ ଅଛନ୍ତି ।
କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ