କନ୍ଧମାଳ: ଆଦିବାସୀଙ୍କ ପାଇଁ ସରାକାରଙ୍କର ଅନେକ ଯୋଜନା। ମାତ୍ର ବାସ୍ତବ କ୍ଷେତ୍ରରେ ଏସବୁ ବାଟବଣା ହେଉଛି। ଗରିବ ଚାଷୀ ଋଣ ଜନ୍ତାରେ ପଡି କଲବଲ ହେଉଛି। ସରକାରଙ୍କ ଯୋଜନାରୁ କୌଣସି ଲାଭ ପାଉନି ଚାଷୀ । ଯାହାର ଉଦାହରଣ ଦେଖିବାକୁ ମିଳିଛି ସୁଡରୁକୁମ୍ପାର ଆଦିବାସୀ ଚାଷୀଙ୍କ କ୍ଷେତ୍ରରେ।
ଗୋଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହିତ ଦୁଗ୍ଧ ଉତ୍ପାଦନର ଦିଗହରା ଉଦାହରଣ ହେଉଛନ୍ତି କନ୍ଧମାଳ ସୁଡ଼ରୁକୁମ୍ପାର ଆଦିବାସୀ ଚାଷୀ ରମେଶ କଂହର ଓ ଗିରିଷ ଯାନୀ। ଋଣ ସୁଝି ଏବେ କୋର୍ଟକୁ ଦୌଡ଼ୁଛନ୍ତି। ଭଲ ଦୁଧିଆଳି ଜର୍ସି ଗାଇ ରଖି ଦୁଇ ପଇସା ରୋଜଗାର ପାଇଁ କନ୍ଧମାଳ ଖଜୁରିପଡା ବ୍ଲକର ସୁଡୁରୁକୁମ୍ପା ଗାଁର ଚାଷୀ ରମେଶ ଓ ଗିରିଶ୍ ଖୁବ୍ ଆଶାବାଦୀ ଥିଲେ। ଖଜୁରିପଡା ଭେଟେନାରୀ ଅଫିସ ମାଧ୍ୟମରେ ଦରଖାସ୍ତ ବି ଦେଇ ଡାଏରୀ ଉଦ୍ୟୋଗୀ ବିକାଶ ଯୋଜନା ବା ଡିଇଭିଏସ୍ ମାଧ୍ୟମରେ ଋଣ ସହାୟତାରେ ତାଙ୍କୁ 2017ରେ ସତୁରି ହଜାରରେ ଦୁଇଟି ଗାଈ ଦିଆଗଲା। ସେତେବେଳେ ଗାଈର ବୀମା ପାଇଁ ଅର୍ଥ ଓ କାଗଜପତ୍ର ମଧ୍ୟ ନିଆଗଲା। କିନ୍ତୁ 6 ମାସ ପରେ ଗାଈ ହଳଙ୍କର ଏକ ରୋଗରେ ମୃତ୍ୟୁ ଘଟିଲା। ଯାହା କିଛି ଋଣ ସୁଝୁଥିଲେ ତାହା ବନ୍ଦ ହୋଇଗଲା। ଆଉ ଆସିଲା କୋର୍ଟ ନୋଟିସ। ଋଣ ଟଙ୍କା ଲକ୍ଷେ ଡେଇଁଲାଣି ତୁରନ୍ତ ଏହାକୁ ସୁଝିବାକୁ କୁହାଗଲା । କୋର୍ଟକୁ ଧାଇଁ ଧାଇଁ ନୟାନ୍ତ ହେଲେଣି ଚାଷୀ ।
ସେପଟେ ଋଣ ପରିଶୋଧ ନକରିବାରୁ କାଳିଆ ଓ ଅନ୍ୟ ଯୋଜନାରେ ମିଳୁଥିବା ସହାୟତା ବନ୍ଦ ହୋଇଗଲା। ମିଳୁଥିବା ସହାୟତା ଟଙ୍କା ବ୍ୟାଙ୍କ ରଖୁଛି । ଚାଷୀଙ୍କ ଆକାଉଣ୍ଟ ମଧ୍ୟ ବନ୍ଦ କରିଛି । ସେପଟେ ଭେଟେନାରୀ ଅଫିସ କହୁଛି ଆମର କିଛି ଦୋଷ ନାହିଁ। ଯାହା କରିବା କଥା ବ୍ୟାଙ୍କର। ବ୍ୟାଙ୍କ ହିଁ ବୀମା କରିବା କଥା। ବ୍ୟାଙ୍କ ସିଡିଭିଓଙ୍କୁ ଦୋଷ ଦେଉଛି। ତେବେ ଆମ ପ୍ରତିନିଧିଙ୍କଠାରୁ ଏହା ଜାଣିବା ପରେ ତଦନ୍ତ କରିବା ନେଇ କହିଛନ୍ତି ଏସ୍ଡିଭିଓ।
ଗରିବ ଚାଷୀ ଏମିତି ହିଁ ଋଣ ଯନ୍ତାରେ କଲବଲ ହେଉଥିବା ବେଳେ ଖସି ଯାଉଛନ୍ତି ଦୋଷୀ ଅଧିକାରୀ। ଯୋଜନା ହେଉଛି ବାଟବଣା।
କନ୍ଧମାଳରୁ ସଦାଶିଵ ପାତ୍ର, ଇଟିଭି ଭାରତ