ଭବାନୀପାଟଣା: ଉଦୀୟମାନ ଯୁବ ଗାଳ୍ପିକ ଡିଲେଶ୍ବର ରଣା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୩ । ଗଳ୍ପ ସଂକଳନ 'ସେଁର୍ରା' ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏନେଇ କେନ୍ଦ୍ର ସାହିତ୍ୟ ଏକାଡେମୀର ସଚିବ କେ. ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି । ଏକାଡେମୀ ପକ୍ଷରୁ ଗଠିତ ବିଚାରକ ମଣ୍ଡଳୀରେ ବିଶିଷ୍ଟ ଲେଖକ ବିଭୁତି ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଦାଶ ବେନହୁର ରହିଥିବା ବେଳେ ସର୍ବସମ୍ମତି କ୍ରମେ 'ସେଁର୍ରା' ପୁସ୍ତକକୁ ଚୟନ କରାଯାଇଥିଲା । ଏହାକୁ ଏକାଡେମୀ ସଭାପତି ମାଧବ କୌଶିକ ଅନୁମୋଦନ କରିଛନ୍ତି ।
ଏକ ସ୍ବତନ୍ତ୍ର ଉତ୍ସବରେ କଳାହାଣ୍ଡିର ଏହି ଯୁବ ଗାଳ୍ପିକ ଡିଲେଶ୍ବର ରଣାଙ୍କୁ ତାମ୍ର ଫଳକ ସହ ୫୦ ହଜାର ଟଙ୍କାର ଚେକ୍ ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି ଏକାଡେମୀ ସଚିବ ଡଃ କେ. ଶ୍ରୀନିବାସ ରାଓ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି । ପ୍ରତିବର୍ଷ ଦେଶର ଭିନ୍ନ ଭିନ୍ନ ଭାଷାରେ ୩୫ ବର୍ଷ ମଧ୍ୟରେ ଥିବା ଯୁବ ଲେଖକମାନଙ୍କୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି । ଏହି ପୁରସ୍କାରର ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକ ଥିଲେ ବିଶିଷ୍ଟ ଲେଖକ ଡକ୍ଟର ବିଭୂତି ପଟ୍ଟନାୟକ, ଗୋବିନ୍ଦ ଚନ୍ଦ୍ର ଚାନ୍ଦ ଓ ଦାଶ ବେନହୁର ।
ଏହା ମଧ୍ୟ ପଢ଼ନ୍ତୁ...ସୁରଭି ଉଦ୍ଯାପିତ, ୩୫୪୯ ପିଲା ପାଇଲେ ‘ଓଡିଆ ଭାଷା ବୃତ୍ତି’ ପୁରସ୍କାର
କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଧଅଁରାମାଲ ଗ୍ରାମର ବ୍ରଜ ରଣା ଓ ବିଦୁସୁତା ରଣାଙ୍କ ସୁପୁତ୍ର ଡିଲେଶ୍ବର ଗଳ୍ପ ଓ କବିତା ରଚନା ସହ ଅଭିନୟ, ସାହିତ୍ୟ ସଂଗଠନ ଆଦିରେ ସକ୍ରିୟ ରହିଛନ୍ତି । ତାଙ୍କର 'ଟାଇମ୍ପାସ' ପ୍ରକାଶିତ ଗଳ୍ପ ସଂକଳନ 'ସେଁର୍ରା' ଓ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟ ପ୍ରକାଶିତ ଉପନ୍ୟାସ 'ମେଳିଭୂଇଁ' ବିପୁଳ ପାଠକୀୟତା ଲାଭ କରିଛି । 'ସେଁର୍ରା' ସଂକଳନର ଶୀର୍ଷକ ଗଳ୍ପକୁ ନେଇ ପ୍ରସ୍ତୁତ ଟେଲିଫିଲ୍ମ ଦୂରଦର୍ଶନରେ ପ୍ରକାଶିତ ହୋଇ ବେଶ୍ ଆଦୃତ ହୋଇଛି । ସାରସ୍ବତ ସାଧନା ପାଇଁ ଡିଲେଶ୍ବର 'ପିଏମ୍ ଯୁବା ମେଣ୍ଟରସିପ୍', 'କଥା ନବପ୍ରତିଭା' ପୁରସ୍କାର, 'କାଦମ୍ବିନୀ ଗଳ୍ପ ଉନ୍ମେଷ' ପୁରସ୍କାର, 'ତପସ୍ୟା ସମ୍ଭାବନା' ପୁରସ୍କାର, 'ପଲ୍ଲବନ ଶବ୍ଦ' ସମ୍ମାନ, 'ଦେବଗିରି ଯୁବ ପୁରସ୍କାର', 'କଳାହାଣ୍ଡି ଯୁବ ପ୍ରତିଭା' ପୁରସ୍କାର ପାଇବା ସହ 'କେନ୍ଦ୍ର ସାହିତ୍ୟ ଏକାଡେମୀ'ର 'ଯୁବସହିତି' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି । ସେହିପରି ଦେଶର ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହ ବଲିଉଡ ଫିଲ୍ମ 'ଏ ରେଡ୍ ସାର୍ଟ'ରେ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି । ସଂପ୍ରତି ଭବାନୀପାଟଣା ବ୍ଲକ ଅନ୍ତର୍ଗତ କୁଟେନପଦର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିବା ସହ ଆକାଶବାଣୀ ଭବାନୀପାଟଣାର 'ଚାଷବାସ' ଉପସ୍ଥାପକ ଏବଂ 'ଗ୍ଲୋବାଲ୍ ଲାଇଫରେଚର୍ ଫାଉଣ୍ଡେସନ'ର ଆବାହକ ଅଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି