ଭବାନୀପାଟଣା: କଥାରେ ଅଛି ଚାଷ କାମ ଯାହାର, କେଡେ ସୁଖ ତାହାର। କିନ୍ତୁ ଚାଷୀଙ୍କ ସମସ୍ୟାକୁ ଦେଖିଲେ ଏହି ଉକ୍ତିଟି ଫିକା ଲାଗୁଛି । ଚାଷୀ କେତେ ଯେ କଷ୍ଟ ସହି ଚାଷ କାମ କରୁଛି ତାହା କେବେଳ ତାକୁ ହିଁ ଜଣା। ଡିପ ବୋରୱେଲ ଯୋଗେ ଜମିରେ ପାଣି ମଡାଇବା ପାଇଁ 12 ବର୍ଷ ଧରି ଟ୍ରାନ୍ସଫର୍ମର ସଂଯୋଗ ପାଇଁ ବିଦ୍ୟୁତ ବିଭାଗକୁ ଜଣାଇଥିଲେ ଜଣେ ମହିଳା ଚାଷୀ । ଏହାପରେ ବିଦ୍ୟୁତସଂଯୋଗ ନିମନ୍ତେ ଅର୍ଥ ପୈଠ ମଧ୍ୟ କରିଥିଲେ । ଖୁଣ୍ଟ ପୋତା ଯାଇ ତାରବି ଟଣା ଯିବା ସହ ଟ୍ରାନ୍ସଫର୍ମର ମଧ୍ୟ ଲାଗିଲା । କିନ୍ତୁ 12 ବର୍ଷ ଧରି ବିଜୁଳିର ସଂଯୋଗ ହୋଇ ପାରି ନାହିଁ । ଜମିରେ ପାଣି ମଡ଼ାଇବା ପାଇଁ ବିଦ୍ୟୁତ ଅଫିସକୁ ଦୌଡ଼ିଦୌଡ଼ି ଚାଷୀ ନୟାନ୍ତ ହୋଇଛି । ସେପଟେ ନଷ୍ଟ ହେବାକୁ ବସିଲାଣି ଚାଷୀଙ୍କ ଚାଷ । ଯାହାକୁ ନେଇ ଏବେ ଚିନ୍ତାରେ ମହାଳିଙ୍ଗ ଗାଁର ମହିଳା ଚାଷୀ ସବିତା ପଟେଲ ।
ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଳିଙ୍ଗ ଗାଁର ମହିଳା ଚାଷୀ ସବିତା ପଟେଲ । ତାଙ୍କ ଖାତା ନଂ-577/128, ପ୍ଲଟ ନଂ-508ର 2 ଏକର 72 ଡିସିମିଲ ଜମିରେ ବିଭିନ୍ନ ପନିପରିବା ସହିତ, ଡାଲିମ୍ବ ଏବଂ କଦଳୀ ଚାଷ ସହିତ ମାଛ ଚାଷ ମଧ୍ୟ କରନ୍ତି । ଅଞ୍ଚଳରେ ପାଣି ନ ଥିବା ଯୋଗୁଁ ଚାଷ କରିବା ପାଇଁ ଅନେକ ଅସୁବିଧାର ସେ ସମ୍ମୁଖୀନ ହେଉଥିଲେ । ଏନେଇ ଏକ ଡିପ୍ ବୋରୱେଲ ଖୋଲିବା ପାଇଁ ବିଜୁଳି ସଂଯୋଗ ପାଇଁ ଗତ 2012 ମସିହାରେ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ଏକ 16 କେଭି ଟ୍ରାନ୍ସଫର୍ମର ବସାଇବା ପାଇଁ କୃଷି ବିଭାଗକୁ ଅନୁରୋଧ କରିଥିଲେ । ଏହାପରେ କୃଷି ବିଭାଗ ବିଜୁଳି ବିଭାଗକୁ ବିଜୁଳି ସଂଯୋଗ ପାଇଁ ଚିଠି କରିଥିଲେ । ଏହାପରେ ବିଜୁଳି ବିଭାଗ ପକ୍ଷରୁ ଏକ ଵ୍ୟୟ ଅଟକଳ କରି ତୁରନ୍ତ ବିଭାଗ ନାମରେ ଟଙ୍କା ପୈଠ କରିବାକୁ ଚିଠି ଆସିଥିଲା ।
ଚିଠି ଅନୁଯାୟୀ, ଗତ 2012 ସେପ୍ଟେମ୍ବର 3 ତାରିଖରେ ସବିତା ପଟେଲ ବିଦ୍ୟୁତ ବିଭାଗ ଆକାଉଣ୍ଟରେ 22 ହଜାର 713 ଟଙ୍କା ପୌଠ କରିଥିଲେ । ପରେ ବିଜୁଳି ବିଭାଗ ପକ୍ଷରୁ ଏକ ଠିକାଦାର ନିଯୁକ୍ତି କରି ବିଜୁଳି ଖୁଣ୍ଟ ପୋତିବା ସହ, ତାର ଲଗାଇ ଟ୍ରାନ୍ସଫର୍ମର ମଧ୍ୟ ଲଗାଇଥିଲେ । କିନ୍ତୁ ବିଗତ 12ବର୍ଷ ହେଲା ସବିତା ପଟେଲଙ୍କ ଜମିରେ ଲାଗିଥିବା ଟ୍ରାନ୍ସଫର୍ମରରେ ବିଜୁଳି ସଂଯୋଗ ହୋଇପାରୁନାହିଁ । ସବିତାଙ୍କ ସ୍ୱାମୀ ତୁଲାରାମ ପଟେଲ କେତେବେଳେ ବିଜୁଳି ବିଭାଗ ଯନ୍ତ୍ରୀ ତ ଆଉ କେତେବେଳେ ବିଜୁଳି ବିଭାଗ ଏସ୍ଡ଼ିଓ, ବିଜୁଳି ବିଭାଗ ଇଞ୍ଜିନିୟଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଏନେଇ ମହିଳା ଚାଷୀ ଜଣକ ସ୍ଥାନୀୟ ବିଧାୟକଙ୍କୁ ମଧ୍ୟ ଜଣାଇ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ସୁଫଳ ମିଳି ପାରି ନାହିଁ। ଯାହାକୁ ନେଇ ଚାଷୀ ଏବେ ଚିନ୍ତାରେ । ତେବେ କେବେ ସବିତା ପଟେଲଙ୍କ ଚାଷ ଜମିକୁ ବିଦ୍ୟୁତ ପହଞ୍ଚୁଛି ତାହା ଦେଖିବାକୁ ବାକି ରହିଲା।
ଇଟିଭି ଭାରତ, କଳାହାଣ୍ତି