ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ଆଦର୍ଶ ପଞ୍ଚାୟତ ଉତ୍କେଲା ଗାଁ । ଯେଉଁଠି ରାସ୍ତା ଉପରେ ଲହଡ଼ି ମାରୁଛି ଡ୍ରେନେଜ ପାଣି । ଗାଁର ରାସ୍ତାକଡ଼ରେ ବର୍ଷ ବର୍ଷ ଧରି ଅଳିଆ ଆବର୍ଜନା ପଡି ରହୁଥିବାବେଳେ ଦୁର୍ଗନ୍ଧରେ ଫାଟି ପଡୁଛି ସାରା ପରିବେଶ । ଏ ନେଇ ଅଭିଯୋଗ ମଧ୍ୟ ହେଉଛି । କିନ୍ତୁ ସରକାରୀ ଅବହେଳା କାରଣରୁ ମିଳିପାରୁନି କୌଣସି ସଫଳ । ପୁରା ଗ୍ରାମରେ ଡ୍ରେନେଜ ବ୍ୟବସ୍ଥା ନଥିବା କାରଣରୁ ଏଭଳି ସମସ୍ୟା ଉପଜୁଛି । ବାରମ୍ବାର ସରପଞ୍ଚ ଓ ବିଡ଼ିଓଙ୍କୁ ଅଭିଯୋଗ କରିଲେ ମଧ୍ୟ ସମସ୍ୟାର ସୁଧାର ଆସୁନଥିବା ଅଭିଯୋଗ କରିଛନ୍ତି ଏଠାକାର ଗ୍ରାମବାସୀ ।
ଦୀର୍ଘ ଦିନ ଧରି ଗ୍ରାମବାସୀ ଅଭିଯୋଗ କରିବା ପରେ ପଞ୍ଚାୟତ ଅଧିକାରୀ ଡ୍ରେନେଜ ସଫେଇ କରିଥିଲେ ହେଲେ ସଫେଇ କରିବା ପରେ ଡ୍ରେନେଜର ଅଳିଆ ଆବର୍ଜନାକୁ ରାସ୍ତାକଡ଼ରେ ଭିଙ୍ଗି ଦେଇ ଚୁପ ବସିଛନ୍ତି ଅଧିକାରୀ । ଗ୍ରାମରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ସମାନ ସମସ୍ୟା ରହିଛି । କାର୍ଯ୍ୟାଳୟ ନିକଟରେ ଥିବା ନଳକୂପ ରାସ୍ତା ହୋଇଛି କାଦୁଅ ପଚ ପଚ । କାଦୁଅ ଭିତରେ ପଶି ନଳକୂପରୁ ପାଣି ଆଣୁଛନ୍ତି ଲୋକେ । ଏଭଳି ଗୋଟିଏ କି ଦୁଇଟି ନୁହେଁ ବରଂ ସମ୍ପୂର୍ଣ୍ଣ ଗାଁର ଅବସ୍ଥା ହିଁ ଏଭଳି ରହିଛି ।
ଗାଁରେ ଡ୍ରେନେଜ ନଥିବା କାରଣରୁ ଏଭଳି ସମସ୍ୟା ଉପୁଜୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ସେପଟେ ଡ୍ରେନେଜ ନିର୍ମାଣ ନାଁରେ ଆସିଥିବା ଟଙ୍କା କାର୍ଯ୍ୟରେ ଲଗାଉନଥିବା ଅଭିଯୋଗ ହୋଇଛି । ବାରମ୍ବାର ଏନେଇ ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ସରପଞ୍ଚ ଓ ବିଡିଓଙ୍କ ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ହେଲେ କୌଣସି ସୁଫଳ ମିଳିନାହିଁ । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ