ଭବାନୀପାଟଣା: କୋରୋନା ଯୋଗୁଁ ଫିକା ପଡ଼ିଲା ଟୋକିମରା ପର୍ବ। ଆଦିବାସୀ ସଂପ୍ରଦାୟର ନିଆରା ପର୍ବ ଟୋକିମରା। ଆଦିବାସୀ ପରମ୍ପରା, ସଂସ୍କୃତି ଚାଲି ଚଳଣୀରେ ଭରି ରହିଛି ଆଦିମ ସଭ୍ୟତାର ନିଦର୍ଶନ । ଆଜିର ଆଧୁନିକ ସମାଜରେ ଯଦିଓ ବେଶଭୂଷାରେ ପରିବର୍ତ୍ତନ ହୋଇଛି, ତଥାପି କନ୍ଧ ସମ୍ପ୍ରଦାୟରେ ବଞ୍ଚି ରହିଛି ଅନେକ ମହାନ ପ୍ରଥା ଓ ପରମ୍ପରା । ଏହି ପରମ୍ପରାର ନିଦର୍ଶନ ଦେଖିବାକୁ ମିଳେ ଟୋକିମରା ପର୍ବରେ ।
ଧରଣୀପେନୁ ବା ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀ କନ୍ଧ ସମ୍ପ୍ରଦାୟର ଜନଜାତିଙ୍କ ଦ୍ଵାରା ପ୍ରତି ୧୨ ବର୍ଷ ଅନ୍ତରାଳରେ ଟୋକିମରା ପର୍ବ ପାଳନ ହେଉଥିବା ବେଳେ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା ଶାରସମାଲ ଗାଁରେ ଏହି ପର୍ବ କୋଭିଡ୍ କଟକଣା ମାଧ୍ୟରେ ପାଳିତ ହୋଇଛି।
ଟୋକିମରା ପର୍ବ ପୂର୍ବରୁ ପାରମ୍ପରିକ ରୀତିନୀତି ଅନୁସାରେ ଗ୍ରାମ ପୂଜାରୀ, ଜାନି, ଗୁରୁମା, ଗ୍ରାମର ମାଟି ଘର ପାଖରେ ଟୋକିପର୍ବ ପୂଜା କାର୍ଯ୍ୟ ଆରମ୍ଭ କରିବା ସହ ଗ୍ରାମର ଇଷ୍ଟଦେବୀ ଓ ବିଭିନ୍ନ ଦେବା ଦେବୀଙ୍କୁ ଆବାହନ କରିଥାନ୍ତି। ଟୋକିର ପୂର୍ବକ ବୋଦାକୁ ବଳି ଦେଇ ମାଟି ଦେବତାଙ୍କ ନିକଟରେ ସମର୍ପିତ କରନ୍ତି। ପରମ୍ପରା ଅନୁସାରେ ପୌଷମାସ ରବିବାର ଦିନ ପାଳନ କରାଯାଉ ଥିବା ବେଳେ ସ୍ଥାନୀୟ ଆଦିବାସୀ ଭାଷାରେ ଟୋକି ଅର୍ଥାତ କୁଆଁରୀ ଝିଅକୁ ପୂର୍ବକାଳରେ ଧରଣୀପେନୁ ମାଟି ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆଦିବାସୀମାନେ ବଳି ଦେଉଥିଲେ ବୋଲି ଗବେଷକ ମତ ଦିଅନ୍ତି । କାଳକ୍ରମେ ଏହି ପ୍ରଥା ଉଚ୍ଛେଦ କରାଯାଇ କୁଆଁରୀ ଝିଅ (ଟୋକି) ବଦଳରେ ଗଡରା (ମେଣ୍ଢା)କୁ ଟୋକିର ପ୍ରତୀକ ରୂପେ ବଳି ଦିଆଯାଉଛି। କନ୍ଧ ପରମ୍ପରାର କୃଷି ଭିଭିକ ଟୋକିମରା ପର୍ବ ଏକ ନିଆରା ପର୍ବ। ମାଟି ଦେବତା ହେଉଛନ୍ତି ଏହି ସମ୍ପ୍ରଦାୟର ଆରାଧ୍ୟ ଦେବତା।
ସେମାନଙ୍କ ବିଶ୍ବାସ ମାଟିଦେବତା ସନ୍ତୁଷ୍ଟ ହେଲେ ଚାଷ ଭଲ ଅମଳ ହେବା ସହ ଗ୍ରାମବାସୀ ଖୁସିରେ ଜୀବନ ଯାପନ କରିବେ । ଟୋକିମରା ପର୍ବ ପୂର୍ବରୁ ଦେବୀଙ୍କ ପୀଠରେ ପୂର୍ବ ବର୍ଷ ପୋତା ଯାଇଥିବା ଅସ୍ତ୍ରକୁ ବାହାର କରି ମାର୍ଜନା କରିବା ପରେ ପାରମ୍ପରିକ ବାଜା ସହ ଗ୍ରାମ ପରିକ୍ରମା କରାଯାଏ । ଏହି ସମୟରେ ଦେବୀଙ୍କ ଅସ୍ତ୍ର ଏବଂ ଛତରକୁ ଗ୍ରାମବାସୀଙ୍କ ଘର ସମ୍ମୁଖରେ ପୂଜାପାଠ କରିବାପରେ ତା ପରଦିନ ଅର୍ଥାତ ବଡି ଭୋରରୁ ସୂର୍ଯ୍ୟଦେବତାଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ସନ୍ଧ୍ୟାରେ ମୁଡାମରା ପର୍ବ ପାଳନ ହୋଇଥାଏ। ସେହିଦିନ ନିଶାଦ୍ଧରେ ଗାଁ ଦେବୀ ମନ୍ଦିରରେ ସିନ୍ଧିପୂଜା ପରେ ପରଦିନ ଶୁଭଲଗ୍ନ ଅନୁସାରେ ଟୋକି ବା ଗଡରାକୁ ବଳି ଦିଆଯାଇଥିଲା।
ଗଡରାକୁ ପୂଜାର୍ଚ୍ଚନା ପରେ ଗୁରୁମାଇଙ୍କ ଦ୍ବାରା ଗ୍ରାମ ପରିକ୍ରମା ପଡିଆକୁ ପ୍ରବେଶ ପରେ ମାଟିଦେବତା ବା ଧରଣୀପେନୁଙ୍କ ଖମ୍ବ ନିକଟରେ ଗ୍ରାମପୂଝାରୀ ଓ ଗୁରୁମାଇ ପୂଜାର୍ଚ୍ଚନା କଲାପରେ ଟୋକି ରୂପକ ଗଡରାକୁ ସର୍ବ ସମ୍ମୁଖରେ ବଳି ଦିଆଯାଇଥିଲା। ବଳି ପଡ଼ିବା ପରେ ବଳି ମାଂସ ନେବାକୁ ଆଦିବାସୀଙ୍କ ମଧ୍ୟରେ ପ୍ରତିଯୋଗୀତା ଦେଖିବାକୁ ମିଳିଥିଲା ଏହି ବଳି ମାଂସକୁ ନେଇ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବା ସହ ଚାଷ ଜମିରେ ପୋତିଲେ ଆଗାମୀ ବର୍ଷ ଭଲ ଫସଲ ହେବ ବୋଲି ବିଶ୍ଵାସ ରହିଛି। ତେବେ କୋଭିଡ କଟକଣା ଯୋଗୁଁ ଏଥର ଖାଁ ଖାଁ ରହିଥିଲା ଟୋକି ମରା ପର୍ବ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ