ଭବାନୀପାଟଣା: ଗିରଫ ହେଲେ ସ୍ବତନ୍ତ୍ର ଭିଜିଲାନ୍ସ ପବ୍ଲିକ ପ୍ରସିକ୍ୟୁଟର । ଲାଞ୍ଚୁଆ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଯାଇ ବନ୍ଧା ହେଲେ କଳାହାଣ୍ଡି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ପବ୍ଲିକ ପ୍ରସିକ୍ୟୁଟର ଆଶୁତୋଷ ମିଶ୍ର । ଦୁର୍ଘଟଣା ମାମଲାକୁ ରଫାଦଫା କରିବା ନେଇ ଆଶୁତୋଷଙ୍କୁ ଗିରଫ କରାଯାଇଛି ।
ସୂଚନାଅନୁସାରେ, 2020 ମସିହାରେ ଏକ ଟ୍ରାକ୍ଟର ଦୁର୍ଘଟଣା ଘଟାଇଥିଲା । ଗାଡିକୁ ଜବତ କରି ମାମଲାକୁ ରଫାଦଫା କରିବା ପାଇଁ ଏଏସଆଇ ମଳୟ କୁମାର ମିଶ୍ର ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଏଏସଆଇ ମଳୟ କୁମାର ରଣାଙ୍କ ଭିଜଲାନ୍ସ କେସକୁ ରଫାଦଫା କରିବା ପାଇଁ ଆଶୁତୋଷ ମିଶ୍ର ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ ।
ଏହି ସମୟରେ ଭିଜିଲାନ୍ସ ବିଭାଗର ଏକ ସ୍ବତନ୍ତ୍ର ଟିମ ହାତରେ ଧରା ପଡିଥିଲେ । ଆଶୁତୋଷଙ୍କୁ ଗିରଫ କରିବା ସହିତ ତାଙ୍କ ବାସଭବନରେ ଚଢାଉ କରାଯାଇଥିଲା । ୧୫ ଲକ୍ଷ ଟଙ୍କା, ଦାମୀ କାର, ମୋଟର ସାଇକଲ ଏବଂ ବ୍ୟାଙ୍କ ଓ ଜମିଜମା ସମ୍ବନ୍ଧୀୟ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ।
ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି କଟକ ଭିଜିଲାନ୍ସ ନିର୍ଦ୍ଦେଶକ । ଗିରଫ ପବ୍ଲିକ ପ୍ରସିକ୍ୟୁଟରଙ୍କ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।
କଳହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ