ଭବାନୀପାଟଣା: ରାଜ୍ୟରେ ମାତିଛନ୍ତି ଠକ। ବିଶେଷ କରି ଚାକିରି ଦେବା ନାଁରେ ଠକିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଭିନ୍ନ ସଂସ୍ଥା କରି ଲୋକଙ୍କୁ ଚାକିରି ଦେବା ନାଁ ରେ ଲୁଟୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏପରି କିଛି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଞ୍ଚଳରେ। ଚାକିରି ଦେବା ଆଳରେ ଟଙ୍କା ଠକେଇ ଅଭିଯୋଗରେ ୬ଜଣ ଯୁବକଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି।
ପୋଲିସର ସୂଚନାଅନୁସାରେ, ଚାକିରି ଦେବା ଆଳରେ ଗ୍ଲେଜ ଟ୍ରେଡିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର କାଳିନ୍ଦୀ ଚରଣ ଗହଣା ବିହାରର ମନିଷ ଯାଦବ ଓ ପୁରୀର ସୌମ୍ୟ ରଞ୍ଜନ ନାଏକଙ୍କୁ ଡକାଇଥିଲେ। ସେମାନଙ୍କୁ ଏକ ସଫ୍ଟୱେର କମ୍ପାନୀରେ ରିପୋର୍ଟିଂ ସର୍ଭିସ କାର୍ଯ୍ୟ କରିବା ନିମନ୍ତେ ସଂସ୍ଥା ପକ୍ଷରୁ ପ୍ରତିଶ୍ରୁତି ଦେଇ ଚାକିରି ପାଇଁ ଜଣ ପିଛା ୨୨ ହଜାର ଟଙ୍କା ଜମା କରିବା ପାଇଁ କୁହାଯାଇଥିଲା। ଚାକିରି ଆଶାରେ ସେମାନେ ସେଇଟା କରିଥିଲେ । ହେଲେ ଦୁହେଁ ଭବାନୀପାଟଣା ଆସିବା ପରେ ମନୀଷ ଓ ସୌମ୍ୟରଞ୍ଜନଙ୍କୁ ପିରାମିଡାଲ ନେଟୱର୍କିଂରେ ପାଞ୍ଜି ସ୍କିମ ଓ ଚେନ ନେଟୱର୍କିଂ ବ୍ୟବସାୟ କରିବାକୁ କୁହାଯାଇଥିଲା ।
ସେମାନେ ଏହି କାମ କରିବାକୁ ମନା କରିବାରୁ ସହରର ତାରିଣୀ ମନ୍ଦିର ନିକଟ ଏକ ହଷ୍ଟେଲରେ ୧୦ ଦିନରୁ ଉର୍ଦ୍ଧ୍ବ ଏକ କୋଠରୀରେ ବନ୍ଦ କରି ରଖାଯାଇଥିବା ଅଭିଯୋଗ ହୋଇଛି । କୌଶଳକ୍ରମେ ସେଠାରୁ ଦୁଇ ଆଶାୟୀ ପ୍ରାର୍ଥୀ ସୌମ୍ୟ ଓ ମନିଷ ଖସି ଆସି ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଆଉ ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଫିଟିଥିଲା ନକଲି ସଂସ୍ଥାର ଅସଲି ଗୁମର।
ଘଟଣାରେ ପୋଲିସ କେନ୍ଦ୍ରାପଡା ଜିଲ୍ଲା ଡେରାବିଶି ନିକଟସ୍ଥ ବିଶ୍ବ ଗାଁର ରଞ୍ଜିତ ଜେନା, ଅନୁଗୋଳ ଜିଲ୍ଲା ବହରପାଲ ନିକଟସ୍ଥ ନୂଆପାଳ ଗାଁର ଦୁଷ୍ମନ୍ତ ଜେନା, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ନୂଆକୋଟ ଗାଁର ବଳଦେବ ବେହେରା, ଭଦ୍ରକ ଜିଲ୍ଲା ବନିଟିଆ ଥାନା ଜୟରାମ ପୁର ଗାଁର କାଳିନ୍ଦୀ ଚରଣ ଗହଣା, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ବଣ୍ଡାଲୋ ଗାଁର ହରେକୃଷ୍ଣ ରାଉତ ଓ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଇଟାକଣ୍ଡିଆ ଗାଁର ପ୍ରଦୀପ ପଣ୍ଡାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସେମାନଙ୍କ ଠାରୁ ନଗଦ ୪୪ ହଜାର ଟଙ୍କା, ୨ଟି ନୋଟ ବହି ଓ ଗ୍ଲେସ ଟ୍ରେଡିଙ୍ଗ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ର ରେଜିଷ୍ଟ୍ରେସନ ସାର୍ଟିଫିକେଟ ଜବତ କରାଯାଇଛି ବୋଲି ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି ଶ୍ରବଣ ବିବେକ । ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟରେ ବୃଦ୍ଧି ପାଉଥିବା ବେକାରୀ ସମସ୍ୟା ଯୋଗୁଁ ଆଜିର ଯୁବପିଢି ଏଭଳି ଠକାମୀ ଶିକାର ହେଉନାହାନ୍ତି ତ ? ଯାହା ଏକ ସମୀକ୍ଷାର ବିଷୟ ପାଲଟିଛି।
କଳାହାଣ୍ଡିରୁ ଅଜିତ କୁମାର ସିଂ,ଇଟିଭି ଭାରତ