ଭବାନୀପାଟଣା: ସରକାର ମହିଳାଙ୍କୁ ସଶକ୍ତ କରିବା ସହ ସ୍ବାବଲମ୍ବୀ କରିବା ଲାଗି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ସେମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରି ରୋଜଗାରକ୍ଷମ କରାଉଛନ୍ତି । ହେଲେ ଉପାନ୍ତ ଇଲାକାରେ କିଛି ଶିକ୍ଷିତ ସରକାରୀ ବାବୁ ଶିକ୍ଷିତ ସମାଜ ଗଢ଼ିବା ବଦଳରେ ନକଲି ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଅର୍ଥକୁ ଆତ୍ମସାତ କରିଥିବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୁଳ ରାମପୁର ବ୍ଲକ ଅନ୍ତର୍ଗତ କିଆପଦର ଗାଁରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ନକଲି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗଠନ କରି ସ୍କୁଲ୍ର କିଛି ଶିକ୍ଷକ ଟଙ୍କା ହରିଲୁଟ କରୁଥିବା ଅଭିଯୋଗ ହୋଇଛି ।
ଅଭିଯୋଗ ଅନୁଯାୟୀ, ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟ ଜଣେ ଶିକ୍ଷକଙ୍କ ମଧୁଚନ୍ଦ୍ରିକାରେ ପ୍ରିୟଦର୍ଶିନୀ ସ୍ଵୟଂ ସହାୟକ ଗୋଷ୍ଠୀ ଖୋଲାଯାଇଛି । ଯାହାକି ସେହି ଗାଁରେ ଥିବା ପ୍ରିୟଦର୍ଶିନୀ ସ୍ଵୟଂ ସହାୟକ ଗୋଷ୍ଠୀର କୌଣସି ଖବର ନାହିଁ । ଅନ୍ୟ ଏକ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା କୌଶଲ୍ୟା ମାଝୀଙ୍କ ନାଁରେ ଭବାନୀପାଟଣାର ଏକ ଘରୋଇ ବ୍ୟାଙ୍କରେ ସେହି ସ୍କୁଲର ଶିକ୍ଷକ ଅଜିତ କୁମାର ସିଂ ଆକାଉଣ୍ଟ ଖୋଲଥିଲେ । ସେଥିରେ ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଟଙ୍କାକୁ ଚଞ୍ଚକତା କରି ଜାଲିଆତି କରିଥିବା ଅଭିଯୋଗ ହୋଇଛି । ଏନେଇ ଗାଁରେ ଥିବା ଅନ୍ୟ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳା ମାନେ ସ୍କୁଲକୁ ଯାଇ ପ୍ରଧାନ ଶିକ୍ଷାୟତ୍ରୀଙ୍କୁ ଘେରିଥିଲେ । ହେଲେ ମହିଳା ଉତ୍ତର ଦେବା ବଦଳରେ ନୂତନ ସ୍ଵୟଂ ସହାୟକ ଗୋଷ୍ଠୀକୁ ଏହି ଦାୟିତ୍ବ ଦିଆଯିବ ବୋଲି କହିଥିଲେ । ଯାହାକୁ ନେଇ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଦୀର୍ଘ ୪ ବର୍ଷ ଧରି ସ୍ଵୟଂ ସହାୟକ ଗୋଷ୍ଠୀ ନାଁରେ ଉଭୟ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ମଧ୍ୟାହ୍ନ ଭୋଜନ ଟଙ୍କାକୁ ଆତ୍ମସାତ କରି ଆସୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: ଟଙ୍କା ହଡ଼ପ ଅଭିଯୋଗ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ସ୍ବୟଂ ସହାୟକ ଗୋଷ୍ଠୀ
ଅନ୍ୟପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ । ସେ କହିଛନ୍ତି, "ସ୍କୁଲକୁ ଗୋଟିଏ ବର୍ଷ ହେଲା ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଯୋଗାଣ ହେଉ ନାହିଁ । ଅନ୍ୟ ସ୍କୁଲ ଓ ପଞ୍ଚାୟତ କାର୍ଯ୍ୟାଳୟରୁ ଚାଉଳ ଧାରରେ ଆଣି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଣ କରୁଛନ୍ତି । ପ୍ରିୟଦର୍ଶିନୀ ସ୍ଵୟଂ ସହାୟକ ଗୋଷ୍ଠୀ ନାଁରେ ବ୍ୟାଙ୍କରେ କୌଣସି ଆକାଉଣ୍ଟ ଖୋଲା ଯାଇଥିବା ଜାଣିନାହିଁ ।" ଅନ୍ୟପଟେ ବ୍ୟାଙ୍କ୍ରେ ଉକ୍ତ ଗୋଷ୍ଠୀ ନାଁରେ ଆକାଉଣ୍ଟ ଖୋଲା ଯାଇଥିବା ନେଇ ଶିକ୍ଷକ ଅଜିତ କୁମାର ସିଂ କହିଛନ୍ତି । ଉଭୟଙ୍କ ବୟାନରେ ତାଳମେଳ ଖାଉନଥିବା ବେଳେ ଦୁର୍ନୀତିର ଗନ୍ଧ ବାରି ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ । ଯଥାଶୀଘ୍ର ସେହି ସ୍କୁଲକୁ ଯାଇ ଏହାର ତଦନ୍ତ କରି କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।
ଇଟିଭି ଭାରତ, କଳାହାଣ୍ଡି