ଭବାନୀପାଟଣା: ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନି ଗାଁରେ ନିଜ ପୈତୃକ ଜମିରେ ପ୍ରାଥମିକ ବିଦ୍ୟାଳୟ ଥିବା ଅଭିଯୋଗ କରି ସ୍କୁଲରେ ତାଲା ପକାଇଛନ୍ତି ଜମି ମାଲିକ । ଫଳରେ ସ୍କୁଲରେ ଶିକ୍ଷାଦାନ ବନ୍ଦ ରହିଥିବା ଜଣାପଡିଛି । ସେପଟେ କୋକସରା ବ୍ଲକ ଅନ୍ତର୍ଗତ ବେହେରାଗୁଡା ପ୍ରାଥମିକ ସ୍କୁଲରେ ଶିକ୍ଷକ ଅଭାବରୁ ପାଠପଢ଼ା ବାଧାପ୍ରାପ୍ତ ହୋଇଥିବା ବେଳେ ସ୍କୁଲରେ ତାଲା ପକାଇ ଶିକ୍ଷକଙ୍କ ବଦଳି ବିରୋଧରେ ଧାରଣାରେ ବସିଛନ୍ତି ଅଭିଭାବକ ଓ ଗ୍ରାମବାସୀ ।
ସୂଚନା ଅନୁଯାୟୀ ଦୀର୍ଘ ବର୍ଷ ତଳେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆକାନି ଗାଁରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍କୁଲ ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ସେହି ସ୍କୁଲରେ ୨୬୪ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ତେବେ ସେହି ଗାଁର ଭଗବାନ ମାଝୀ ସ୍କୁଲ ନିର୍ମାଣ ହୋଇଥିବା ଜମି କୌଣସି ସରକାରୀ ଜମି ନୁହେଁ ବରଂ ଜମି ତାଙ୍କର ପୈତୃକ ସମ୍ପତ୍ତି ବୋଲି କହି ସ୍କୁଲରେ ତାଲା ମାରିଛନ୍ତି । ଫଳରେ ଆଜି ଦିନ ତମାମ ସ୍କୁଲରେ ପାଠ ପଢା ବନ୍ଦ ରହିଛି ।
ଗତ ଅଗଷ୍ଟ ମାସରେ ମଧ୍ୟ ଜମି ମାଲିକ ସ୍କୁଲ ଗେଟରେ ତାଲା ପକାଇ କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ସେତେବେଳେ ଦୀର୍ଘ ୪ ଦିନ ଧରି ସ୍କୁଲ ବନ୍ଦ କରି ଦେଇଥିଲେ । ସେହି ସମୟରେ ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ଅଧ୍ୟକ୍ଷ ଓ ତହସିଲଦାର ପହଞ୍ଚି ଜମି ମାଲିକଙ୍କୁ କ୍ଷତିପୂରଣ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ସ୍କୁଲରେ ପାଠପଢ଼ା ସ୍ବଭାବିକ ହୋଇଥିଲା । ହେଲେ ସେହି ପ୍ରତିଶ୍ରୁତି ପୂରଣ ନହେବାରୁ ଗତକାଲି ପୁଣି ଥରେ ଜମି ମାଲିକ ସ୍କୁଲ ଗେଟରେ ତାଲା ପକାଇ ଦେଇଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଜମି ମାଲିକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି ।
ସେପଟେ ଜିଲ୍ଲାର କୋକସରା ବ୍ଲକ ଅନ୍ତର୍ଗତ ବେହେରାଗୁଡା ପ୍ରାଥମିକ ସ୍କୁଲରେ ତାଲା ପକାଇ ଆନ୍ଦୋଳନରେ ବସିଛନ୍ତି ଅଭିଭାବକ ଓ ଗ୍ରାମବାସୀ । ଅଭିଯୋଗ ଅନୁଯାୟୀ ବେହେଡା ଗୁଡା ପ୍ରାଥମିକ ସ୍କୁଲରେ ଜଣେ ମାତ୍ର ଶିକ୍ଷକ ରହିଥିବାବେଳେ ଏନେଇ ଗ୍ରାମବାସୀ କିଛିଦିନ ତଳେ ଆନ୍ଦୋଳନ କରିବା ସହ ୧୫ ଦିନ ଧରି ସ୍କୁଲରେ ତାଲା ପକାଇ ଆନ୍ଦୋଳନ କରିଥିଲେ । ଏନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସ୍କୁଲରେ ଆଉ ଦୁଇଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା । ଯାହା ଫଳରେ ଆନ୍ଦୋଳନରୁ ଓହରି ଥିଲେ ଗ୍ରାମବାସୀ । ଏବେ ପୁଣି ସେହି ସ୍କୁଲରୁ ୨ ଜଣ ଶିକ୍ଷକଙ୍କ ବଦଳ ହେବାକୁ ନୋଟିସ ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଯାହାକୁ ନେଇ ସ୍କୁଲ ଗେଟରେ ତାଲା ପକାଇବା ସହ ସ୍କୁଲ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି ଗ୍ରାମବାସୀ । ଶିକ୍ଷକ ବଦଳି ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ସହ ଅଧିକା ଶିକ୍ଷକ ଦେବା ଦାବିରେ ଅଡ଼ି ବସିଛନ୍ତି ଗ୍ରାମବାସୀ ।
ଇଟିଭି ଭାରତ, କଳାହାଣ୍ଡି