କଳାହାଣ୍ଡି: ଶଙ୍ଖା ସିନ୍ଦୁର ଶାଢ଼ୀ ସହ ଫଳ ଭର୍ତି ପାତ୍ର । ଅପେକ୍ଷା ଥିଲା ସେହି ଶୁଭ ମୁହୂର୍ତ୍ତକୁ । ନୈବେଦ୍ୟ ସମର୍ପି ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ କାମନା କରିଥିଲେ ବ୍ରତଧାରୀ ମହିଳା । ଏ ପବିତ୍ର ବ୍ରତ ଲାଗି ଅନ୍ୟ ବର୍ଷ ମାନଙ୍କରେ କିଏ ଦେବାଳୟ କିଏ ବଟ ବୃକ୍ଷ ତ ଆଉ କିଏ ତୁଳସୀ ଚଉଁରା ମୂଳେ ଜମାଇଥାନ୍ତି ଭକ୍ତିର ଆସର ।
ହେଲେ କୋରୋନା କଟକଣାକୁ ନେଇ ଚଳିତ ବର୍ଷ ବିବାହିତା ମହିଳାମାନେ ନିଜଘରେ ହିଁ ଏହି ବ୍ରତ ପାଳନ କରିଥିଲେ । ଧୂପ ଦୀପ ଦିବ୍ୟ ନୈବେଦ୍ୟରେ ଚହଟି ଉଠିଥିଲା ପୁରା ପରିବେଶ । ସାରାଦିନ ଉପବାସ ରହି ଭକ୍ତି ଆଉ ନିଷ୍ଠାର ସହ ପୂଜାର୍ଚ୍ଚନା ସାଙ୍ଗକୁ ସ୍ବାମୀଙ୍କ ମଙ୍ଗଳକାମନା କରିଥିଲେ ମହିଳା । ସାବିତ୍ରୀ ପାଇଁ ସଧବା ନାରୀମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ବେଶ ଉତ୍ସାହ ଓ ଉଦ୍ଦୀପନା । ଯଦିଓ କୋରୋନା କଟକଣା ଏଇ ପର୍ବକୁ କିଛି ମାତ୍ରାରେ ଫିକା କରି ଦେଇଥିଲା । ତଥାପି ଜିଲ୍ଲା ସାରା ଲାଗି ରହିଥିଲା ଭାବ ଭକ୍ତିମୟ ପରିବେଶ ।
କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ