ଭବାନୀପାଟଣା: ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଜନ ସାଧାରଣ । ହସ୍ପିଟାଲ ଅଛି କିନ୍ତୁ ଚିକିତ୍ସା ପାଇଁ ନାହାନ୍ତି ଡାକ୍ତର । ଫଳରେ ଅନେକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏଭଳି ନାହିଁ ନାହିଁରେ ଚାଲିଛି । ଏଠାରେ ଖାଲି ପଡିଛି ମେଡିସିନ ଓ ସର୍ଜରୀ ବିଶେଷଜ୍ଞ ଡାକ୍ତର ପଦବୀ । କିନ୍ତୁ ବାରମ୍ବାର ଦାବି ପରେ ଆଜି ପର୍ଯ୍ୟନ୍ତ ଏହି ଦୁଇଟି ପଦବୀରେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ । ଏଥିସହ ବନ୍ଦ ପଡିଥିବା ରକ୍ତ ଭଣ୍ଡାରକୁ କାର୍ଯ୍ୟକ୍ଷମ କରିବା ଓ ହସ୍ପିଟାଲକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାର ମାନ୍ୟତା ଦାବି ନେଇ ଜୁନାଗଡ଼ ସଚେତନ ସଂଗ୍ରାମ ସମିତି ପକ୍ଷରୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଆମରଣ ଅନଶନ ଆରମ୍ଭ ହୋଇଛି ।
ଜୁନାଗଡ଼ ଡାକ୍ତରଖାନା ଜିଲ୍ଲାର ଏକ ପ୍ରମୁଖ ଡାକ୍ତରଖାନା ହୋଇଥିବା ବେଳେ ସରକାରଙ୍କ ଅବହେଳା ଯୋଗୁଁ ଦୀର୍ଘ ଦିନରୁ ଡାକ୍ତର ପଦବୀ ଓ ଆନୁସଙ୍ଗିକ ଭିତ୍ତିଭୂମି ଅଭାବ ସହ ବିଭିନ୍ନ ସମସ୍ୟା ଲାଗି ରହିଛି ଏଠାରେ । ଏନେଇ ଜୁନାଗଡବାସୀ ସରକାରଙ୍କ ନିକଟରେ ଅନେକ ଥର ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ହୋଇ ପାରିନାହିଁ । ଫଳରେ ଡାକ୍ତରଖାନା ଉପରେ ନିର୍ଭର କରି ବ୍ଲକ, ଏନଏସି ଓ ପଡୋଶୀ ବ୍ଲକର ପ୍ରାୟ 6 ଲକ୍ଷ ଲୋକ ଉପଯୁକ୍ତ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ।
ଜୁନାଗଡ଼ ଡାକ୍ତରଖାନା ୧୯୩୨ ମସିହାରେ ସ୍ଥାପିତ ହୋଇଥିଲା । କିନ୍ତୁ ଏଠାରେ ଏବେ ଅନେକ ସମସ୍ୟା ରହିଛି । ଏହି ଡାକ୍ତରଖାନାକୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାର ମାନ୍ୟତା ପ୍ରଦାନ ସହ ସ୍ବାସ୍ଥ୍ୟକେନ୍ଦ୍ରରେ ମେଡିସିନ ଓ ସର୍ଜରୀ, ଆନେସ୍ପେସିୟା ବିଶେଷଜ୍ଞ ଖୁବଶୀଘ୍ର ନିଯୁକ୍ତି କରିବା ପାଇଁ ସଚେତନ ସଂଗ୍ରାମ ସମିତି ପକ୍ଷରୁ ଦାବି କରାଯାଇଛି ।
ଜୁନାଗଡ଼ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଶ୍ମିରଞ୍ଜନ ନାୟକଙ୍କ ଆହ୍ଵାନରେ ବ୍ୟବାସାୟୀକ ସଂଘ ସଭାପତି ପ୍ରଭାତ ଦାସ, ସାମ୍ବାଦିକ ସଂଘ ସଭାପତି ହିମାଂଶୁ ଶେଖର ବରାଡ, ମା’ ମାଟି ମମତା ସଂଗଠନ ପକ୍ଷରୁ ଆଇନଜୀବୀ ବିଶ୍ବନାଥ କର, ସଂଗ୍ରାମ ସମିତିର କୁବଳେଶ୍ବର ପାଣିଗ୍ରାହୀ, ଅନୀଲ ପଣ୍ଡା, ସିପିଆଇରୁ ଦାମୋଦର ବେହେରା ଏହି ଆମରଣ ଅନଶନରେ ସାମିଲ ହୋଇଛନ୍ତି ।
ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟସଚିବ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବ, ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କୁ ସ୍ଥାନୀୟ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଅନଶନ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଜାରି ରହିବ ବୋଲି ସଂଗ୍ରାମ ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି ।
ଇଟିଭି ଭାରତ, କଳାହାଣ୍ଡି