ଭବାନୀପାଟଣା: କୁସୁର୍ଲା ଠାରେ ଚାଲିଛି ମକର ମେଳା । କୋଭିଡ କଟକଣା ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ମେଳା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ବିନା କଟକଣା ମକର ମେଳା ଆୟୋଜିତ ହେଉଛି । ତେବେ ଏହି ମେଳା ୫ ଦନ ଧରି ଚାଲିବାକୁ ଥିବା ବେଳେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଛି ।
ଦୀର୍ଘ ୭୩ ବର୍ଷ ଧରି କୁସୁର୍ଲା ଠାରେ ଚାଲି ଆସୁଛି ମକର ମେଳା । ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତିଠାରୁ ଏହି ମେଳା ଆରମ୍ଭ ହୋଇ ୫ ଦିନ ଧରି ଚାଲିଥାଏ । ପୂଜା ପରମ୍ପରା ଅନୁଯାୟୀ ମକର ସଂକ୍ରାନ୍ତି ଦିନ ହର ଗୌରୀଙ୍କ ଠାରେ କଦଳୀ, ଅଦା, ଅରୁଆ ଚାଉଳ, ନଡ଼ିଆ, କ୍ଷୀର, ରାଶି ଆଦି ସାମଗ୍ରୀକୁ ମିଶାଇ ମକର ଚାଉଳ ତିଆରି କରାଯାଇଥାଏ । ଏହାପରେ ହରଗୌରୀଙ୍କୁ ଭୋଗ ଲଗାଯାଇଥାଏ । ତେବେ ପ୍ରଥମଦିନରେ ହର ଗୌରୀଙ୍କ ରଥଯାତ୍ରା ଆୟୋଜିତ ହୋଇଥିଲା । ମନ୍ଦିର ପୂଜକ ହରଗୌରୀଙ୍କ ପ୍ରତି ମୂର୍ତ୍ତିକୁ ମନ୍ଦିର ଭିତରୁ ବାହାର କରି ଘଣ୍ଟା, ଶଙ୍ଖ, ହୁଳହୁଳି ଦେଇ ରଥ ଚାରିପଟେ ୧୧ ଘେରା ବୁଲି ସାରିବା ପରେ ହରଗୌରୀଙ୍କୁ ରଥାରୁଢ କରାଯାଇଥିଲା । ଏହା ପରେ ଗାଁ ପରିକ୍ରମା କରାଯାଇଥିଲା । ହର ପାର୍ବତୀଙ୍କ ଗ୍ରାମ ପରିକ୍ରମା ସମୟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଲୋକେ ସାମିଲ ହୋଇ ଆଶିଷ ଭିକ୍ଷା କରିଥିଲେ ।
ପରେ ରଥ ମନ୍ଦିରରେ ପହଞ୍ଚିବା ପରେ ପୁଣିଥରେ ହର ଗୌରୀଙ୍କ ବିଗ୍ରହଙ୍କୁ ମନ୍ଦିରର ଗର୍ଭଗୃହ ଭିତରେ ସ୍ଥାପନ କରାଯାଇଥିଲା । ତେବେ ଆସନ୍ତା ୩ ଦିନ ପରେ ଶେଷ ହେବ ଏହି ମକର ମେଳା । ଶେଷ ଦିନରେ ମନ୍ଦିର ପରିସରରେ ଥିବା ଚଣ୍ଡି ମନ୍ଦିରରେ ଗୁପ୍ତ ରୀତି ନୀତିରେ ଚଣ୍ଡି ପାଠ ଅନୁଷ୍ଠିତ ହେବ । ଏହାସହ ମାଆ ଚଣ୍ଡିଙ୍କ ନିକଟରେ ପ୍ରଥମେ ଛାଗ ବଳି ପରେ ପରେ ମାନସିକଧାରୀ ନିଜର ମାନସିକ ଅନୁଯାୟୀ ବୋଦା କୁକୁଡ଼ା ଆଦି ବଳି ଦେଇଥାନ୍ତି । ବଳିରେ ରକ୍ତରଞ୍ଜିତ ହୋଇଥାଏ ପୀଠ । ସେପଟେ ମକର ମେଳାକୁ ନେଇ ସମସ୍ତଙ୍କ ମନରେ ବେଶ ଉତ୍ସାହ ଦେଖା ଦେଇଛି । ଏହାସହ ବ୍ୟବସାୟୀମାନେ ମଧ୍ୟ ଦୁଇ ପଇସା ଲାଭ କରିବା ପାଇଁ ବିଭିନ୍ନ ପସରା ନେଇ ପହଁଞ୍ଚିଛନ୍ତି । ଜନଗହଳିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଇଛି ।
ଇଟିଭି ଭାରତ, କଳାହାଣ୍ଡି