ଭବାନୀପାଟଣା: ଓଡିଆ ଘରେ ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଏକ ସ୍ବତନ୍ତ୍ର ଦିନ । ଆଜି ଦିନକୁ ଓଡ଼ିଆ ନବବର୍ଷ ଓ ହନୁମାନ ଜୟନ୍ତୀ ଭାବେ ମଧ୍ୟ ପାଳନ କରାଯାଉଛି । ଏହାକୁ ନେଇ ଚାରିଆଡେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏହିକ୍ରମରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସମେତ ଜିଲ୍ଲାର ଗାଁଠୁ ସହର ସବୁଠି ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି ।
ଭବାନୀପାଟଣା ସହରର ହନୁମାନ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ସହରର ଜଗନ୍ନାଥ ମନ୍ଦିର ନାମଯଜ୍ଞ ସହ ଓ ଜଗନ୍ନାଥ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ପଣା ସଂକ୍ରାନ୍ତିକୁ ନେଇ ସହରର ବିଭିନ୍ନ ମନ୍ଦିର ଓ ଛକରେ ପଣା ବଣ୍ଟନ କରାଯାଉଛି । ବିଶେଷ କରି ଆଜି ଠାରୁ ନୂତନ ପଞ୍ଜିକା ଓଡ଼ିଶାରେ ଆରମ୍ଭ ହେବ ଓ ନୂତନ ପଞ୍ଜିକା ମାଧ୍ୟମରେ ଲୋକେ ନିଜ ନିଜ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବେ । ଓଡ଼ିଆ ନବ ବର୍ଷ ଭାବରେ ଓଡିଶାବାସୀ ଏହିଦିନକୁ ପାଳନ କରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ