କଳାହାଣ୍ଡି: ଲାଞ୍ଜିଗଡ ବନ୍ଧପାରୀ ପଞ୍ଚାୟତରେ ପିଡିଏସ ଚାଉଳ ବିକ୍ରି ଅଭିଯୋଗ । ଲୋକଙ୍କୁ ଚାଉଳ ନ ଦେଇ ସେହି ଚାଉଳକୁ ଅନ୍ୟତ୍ର ବିକ୍ରି କରୁଥିବା ଅଭିଯୋଗ ହୋଇଛି । ତେବେ ଏପରି ଅଭିଯୋଗ ଆସିବା ପରେ ପଞ୍ଚାୟତର 45 ବସ୍ତା ଚାଉଳ ନିକଟସ୍ଥ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଥିବା ଦେଖିବାକୁ ମିଳିଥିଲା । ଯାହାକୁ ଜବତ କରିଛନ୍ତି ଲାଞ୍ଜିଗଡ ବିଡିଓ ।
ସୂଚନା ଅନୁଯାୟୀ, ବନ୍ଧପାରୀ ପଞ୍ଚାୟତରୁ ଆଉ ଦୁଇଟି ନୂଆ ପଞ୍ଚାୟତ କୁମଖାଲ ଓ ବେଡାଗାଁ ସୃଷ୍ଟି ହୋଇଛି । ତେବେ ନୂଆ ପଞ୍ଚାୟତ ହୋଇଥିଲେ ବି ଏବେବି ଲୋକେ ବନ୍ଧପାରୀ ପଞ୍ଚାୟତରୁ ଚାଉଳ ନେଉଛନ୍ତି । ହେଲେ କିଛି ମାସ ହେବ ସେମାନେ ଚାଉଳ ପାଉନାହାଁନ୍ତି । ଯେଉଁଥି ଲାଗି ପଞ୍ଚାୟତବାସୀ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଏପରି ସ୍ଥଳେ ସ୍ଥାନୀୟ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରୁ 45 ବସ୍ତା ପଞ୍ଚାୟତ ଚାଉଳ ବାହାରିବା ସନ୍ଦେହ ସୃଷ୍ଟି କରୁଛି । ଯେଉଁଥି ଲାଗି ଚାଉଳ ବିକ୍ରିର ଅଭିଯୋଗ ଆଣିଛନ୍ତି ଲୋକେ ।
ଅନ୍ୟପଟେ ଏହା ସମ୍ପୂର୍ଣ୍ଣ ନ୍ୟାୟ ଭିତ୍ତିକ ଓ ଚିଠି ମାଧ୍ୟମରେ ହିଁ ପଞ୍ଚାୟତରୁ ଚାଉଳ ଧାର ଅଣାଯାଇଛି ଓ ଆମର ଆସିଲେ ଏହାକୁ ଦିଆଯିବ ବୋଲି କହିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ । ସେପଟେ ଏପରି କୌଣସି ନିୟମ ନାହିଁ ଓ ତଦନ୍ତ ହେବା ପରେ ଯିଏ ଏପରି କରିଛି ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲାଞ୍ଜିଗଡ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ।
କଳାହାଣ୍ଡିରୁ ଅଜିତ୍ ସିଂହ, ଇଟିଭି ଭାରତ