ଭବାନୀପାଟଣା: ଗତକାଲି (ରବିବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ଗସ୍ତ କରିଥିଲେ । ଜିଲ୍ଲାବାସୀଙ୍କୁ ବିଭିନ୍ନ ପ୍ରକଳ୍ପ ଭେଟି ଦେବା ସହ ବିଜୁ ଏକ୍ସପ୍ରେସ ୱେର ଉଦଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧୀ ନାପସନ୍ଦ କରିଥିବା ସହ ଶାସକ ଦଳକୁ ଟାର୍ଗେଟ କରିଛନ୍ତି । ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସରକାରୀ ସ୍ତରରେ ହୋଇଥିଲେ ହେଁ ମଞ୍ଚରେ ଜିଲ୍ଲାପାଳ କିମ୍ବା ଜିଲ୍ଲାର ଏସପି ମଞ୍ଚାସିନ ହୋଇ ନଥିଲେ । ଯାହାକୁ ନେଇ ବିରୋଧ ଗର୍ଜନ କରିଛନ୍ତି । ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମ ଆଳରେ ନିଜ ଦଳୀୟ ପ୍ରଚାର କରିବାରେ ଲାଗିଛନ୍ତି । ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ସମାନ ଢ଼ଙ୍ଗରେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଜିଲ୍ଲାରେ ଦଳୀୟ ପ୍ରଚାର କରିଛନ୍ତି । ବିଜେଡି ଯେତେ ପ୍ରଚାର କଲେ ମଧ୍ୟ ଆସନ୍ତା ଦିନରେ ଜିଲ୍ଲାବାସୀ ଓ ରାଜ୍ୟବାସୀ ସମର୍ଥନ ଜଣାଇବେ ନାହିଁ ବୋଲି କହିଛି ବିରୋଧି ।
ସେହିପରି ମମିତା ମେହେର ହତ୍ୟାକଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁର ସନ୍ଦେହଜଣକ ମୃତ୍ୟୁ ଘଟଣା ଓ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକଣ୍ଡ ଘଟଣା ଭଳି ଅନେକ ଘଟଣା ରାଜ୍ୟରେ ଘଟିଥିବା ବେଳେ ଆଇନଶୃଙ୍ଖଳା ସ୍ଥିତି ବିଗିଡିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କେବଳ ପ୍ରହସନ ବୋଲି ବିରୋଧୀ ଆକ୍ଷେପ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିରୋଧ କରି ବିଜେପି ନେତା ହିଂମାଶୁ ମେହେର କହିଛନ୍ତି, ''ମୁଖ୍ୟମନ୍ତ୍ରୀ ଯେବେ ବି କଳାହାଣ୍ଡି ଆସୁଛନ୍ତି ସର୍ବଦା ସରକାରୀ କାର୍ଯ୍ୟକ୍ରମରେ ଆସୁଛନ୍ତି ଯାହା ସ୍ବାଗତଯୋଗ୍ୟ ମାତ୍ର ସେ ଏଠାରେ ତାଙ୍କର ଦଳୀୟ ପ୍ରଚାର କରୁଛନ୍ତି । ସରକାରୀ କାର୍ଯ୍ୟକ୍ରମ ନାଁରେ ସରକାରୀ ତହବିଲରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । 2021ରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଆସିଥିଲେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ ମାତ୍ର ଗୋଟିଏ ହେଲେ ବି କାର୍ଯ୍ୟକ୍ଷମ ହୋଇନାହିଁ । ସୂର୍ଯ୍ୟ ଉଏଁ ଅସ୍ତ ହୁଏ ଏ ଦଳର ବି ଅସ୍ତ ଆରମ୍ଭ ହେବାକୁ ଯାଉଛି 2024ରେ ବିଜେଡି ଦଳ ଅସ୍ତ ହେବ ।''
ବିରୋଧୀଙ୍କ ବାଣ ପରେ ପ୍ରତିକ୍ରିୟା ରଖି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ବିିରୋଧୀ ଅଛନ୍ତି ବିରୋଧ କରିବା ପାଇଁ । 20 ବର୍ଷ ପୂର୍ବେ କଳାହାଣ୍ଡି ଯାହା ଥିବା ଆଉ ଆଜି ଯାହା ଅଛି ତାହା ସ୍ପଷ୍ଟ ଦେଖାଯାଉଛି । 2000 ମସିହା କଳାହାଣ୍ଡି ଓ 2023ର କଳାହାଣ୍ଡି ଭିତର ଅନେକ ଫରକ ରହିଛି । ବିରୋଧୀ କେବେ କହିବେ ନାହିଁ ସରକାର ଭଲ କାମ କରୁଛନ୍ତି । ସେ ସର୍ବଦା ଗୋଡ ଟାଣିବେ । ତାପରେ ବି 22ବର୍ଷର ନିରବଛିନ୍ନ ପରିଶ୍ରମ ପରେ କଳାହାଣ୍ଡିର ଆର୍ଥିକ, ଭୌଗୋଳିକ ଓ ସାମାଜିକ ସ୍ଥିତି ବଦଳିଛି ।''
ପ୍ରକାଶଥାଉ କି, ଗତକାଲି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ଗସ୍ତ କରି ଜିଲ୍ଲାବାସୀଙ୍କୁ 93ଟି ପ୍ରକଳ୍ପ ଭେଟି ଦେବା ସହ 1576.42 କୋଟି ଟଙ୍କାରେ 113ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏହା ସହିତ 70କିମି ବିଜୁ ଏକ୍ସପ୍ରେସୱେର ଉଦଘାଟନ କରିଥିଲେ । 2023ରେ ଏହା ମୁଖ୍ୟମନ୍ତ୍ରୀଙ୍କ ଏହା ଦ୍ବିତୀୟ ପଶ୍ଚିମ ଓଡିଶା ଜିଲ୍ଲା ଗସ୍ତ ଥିଲା ।
ଇଟିଭି ଭାରତ, କଳାହାଣ୍ଡି