ଭବାନୀପାଟଣା: ଗତ କିଛି ମାସ ମଧ୍ୟରେ କଳାହାଣ୍ଡି ଜିଲ୍ଲା ପୋଲିସ ବ୍ୟାପକ ମାତ୍ରାରେ ଚୋରା ଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଛି । କେତେବେଳେ ବୋଲେରୋରୁ ଜବତ କରିଛି ତ ଆଉ କେତେବେଳେ ଦାମୀ କାର, କଣ୍ଟେନରରୁ ଜବତ କରିଛି ଗଞ୍ଜେଇ ।ଏବେ ଏହି ରାକେଟରେ ସନ୍ଦେହ ଦୂର ପାଇଁ ମହିଳାଙ୍କୁ ମଧ୍ୟ ସାମିଲ କରୁଛନ୍ତି ମାଫିଆ । ତେବେ ଜିଲ୍ଲା ଦେଇ ଯାଇଥିବା ଏନଏଚ ୨୬ ଏବେ ମାଫିଆଙ୍କ ପାଇଁ ଏକ ସୁରକ୍ଷିତ କରିଡର ପାଲଟିଛି ।
ଗଞ୍ଜେଇ ମାଫିଆଙ୍କ ସୁରକ୍ଷିତ କରିଡର ଏନଏଚ ୨୬ ! ୨୮ ଜୁନରେ ବୋଲେରୋରେ ବାଲିଗୁଡାରୁ କଳାହାଣ୍ଡି ଦେଇ ଖଡିଆଳ ଚାଲାଣ ସମୟରେ ଜବତ ହୋଇଥିଲା ପ୍ରାୟ ୮୦ କେଜି ଗଞ୍ଜେଇ । ସେହିପରି ୧୮ ଜୁଲାଇରେ ମାଲକାନଗିରିରୁ କଳାହାଣ୍ଡି ଦେଇ ବିହାରକୁ ଶାଢୀ ପ୍ୟାକେଟରେ ଗଞ୍ଜେଇ ଚୋରା ଚାଲାଣ ସମୟରେ କେସିଙ୍ଗା ପୋଲିସ ଜବତ କରିଥିଲା ୧ କୁଇଣ୍ଟାଲ ୬୬ କେଜି ଗଞ୍ଜେଇ ଏବଂ ଏହି ମାମଲାରେ ସଂପ୍ରୁକ୍ତ ଜଣେ ମହିଳାଙ୍କ ସହ ଗିରଫ ହୋଇଥିଲେ ୩ ଜଣ ଅଭିଯୁକ୍ତ । ୨୪ ଜୁଲାଇରେ ଭବାନୀପାଟଣାରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ ସମୟରେ ହୋଣ୍ଡାଇ କାର ସିକ୍ରେଟ ଚାମ୍ୱରରୁ ୪୮ କେଜି ଗଞ୍ଜେଇ ଚାଲାଣ ସମୟରେ କେସିଙ୍ଗା ପୋଲିସ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିଲା ।୩୧ ଜୁଲାଇ କୋରାପୁଟ ଜିଲ୍ଲାରୁ ଛତିଶଗଡକୁ ୪୪ କେଜି ଗଞ୍ଜେଇ ବୋଲେରୋରେ ଚାଲାଣ ସମୟରେ କୋକସରା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଥିଲା । ଏସବୁ ଘଟଣାରୁ ଏନଏଚ ୨୬ରେ ଗଞ୍ଜେଇ ମାଫିଆ ସକ୍ରିୟ ଥିବା କଥା ସାମ୍ନାକୁ ଆସି ଥିବାବେଳେ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ କଳାହାଣ୍ଡି ପୋଲିସ ପକ୍ଷରୁ ବିଭିନ୍ନ ବ୍ଲକିଂ ଓ ଚେକିଂ ପୋଷ୍ଟ ଥିଲେ ହେଁ ଏହି ମାଫିଆମାନେ ଅନେକ ସମୟରେ ଖସିଯାଉଥିବା ମଧ୍ୟ ନଜିର ରହିଛି । ସେପଟେ ଗଞ୍ଜେଇ ଚାଲାଣକୁ ରୋକିବା ଅବକାରୀ ବିଭାଗର ଦାୟିତ୍ୱ ଥିଲେ ହେଁ ବିଭାଗ ନୀରବଦ୍ରଷ୍ଟା । ଉଭୟ ପୋଲିସ ଓ ଅବକାରୀ ବିଭାଗ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏହି ମାଫିଆମାନେ ଅନେକ ସମୟରେ ଖସି ଯାଉ ଥିବାବେଳେ ଏନେଇ ବିଭାଗୀୟ ଅଧିକାରୀ ପରସ୍ପର ସହ ଆଲୋଚନା ସହ ସମୀକ୍ଷା ଜରୁରୀ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ