ଭବାନୀପାଟଣା: ପେଟ ପାଟଣା ପାଇଁ ଦାଦନ ପାଲଟି ଗଲେ ନାବାଳିକା । ପାଠପଢା ବୟସରେ ସୁଦୂର ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ । ଆଶା ରଖିଥିଲେ ଟଙ୍କା ରୋଜଗାର କଲେ ଘରକୁ ପଠାଇବେ ଓ ନିଜେ ଚଳିବେ । କିନ୍ତୁ ଦାଦନ ଖଟିବା ସେମାଙ୍କ ପାଇଁ ଯେମିତି ଅଭିଶାପ ପାଲଟି ଯାଇଛି । କାମ ବଦଳରେ ନିର୍ଯାତନାର ଶିକାର ହେଲେ କଳାହାଣ୍ଡି ଜିଲ୍ଲାର 30 ଜଣ ନାବାଳିକା । ବନ୍ଦ କୋଠରୀରେ ଜୀବନ ବିତାଉଥିବା ବେଳେ ସେଥି ମଧ୍ୟରୁ 10 ଜଣ ଲୁଚି ପଳାଇ ଆସି ଗ୍ରାମରେ ପହଞ୍ଚିଥିଲେ । ଏହାପରେ ପୁରା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ସହ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ନାବାଳିକା ।
ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲାର ଲାଞ୍ଜିଗଡ ବ୍ଳକ ଅନ୍ତର୍ଗତ ବିଜେପୁର,ମାଲିଜୁବାଙ୍ଗ, କାନକୁଟ୍ରୁ ଆଦି ପଞ୍ଚାୟତର 30 ଜଣ ନାବାଳିକା ଗତ 6 ମାସ ତଳେ ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶକୁ ଯାଇଥିଲେ । ରାୟଗଡା ଜିଲ୍ଲା ମୁନିଗୁଡା ଅଞ୍ଚଳର ଜଣେ ଦାଦନ ସର୍ଦ୍ଦାର ଏମାନଙ୍କୁ ଆନ୍ଧ୍ରକୁ ନେଇ ଏକ ଚିଙ୍ଗୁଡ଼ି କମ୍ପାନୀରେ ଶ୍ରମିକ ଭାବରେ ନିୟୋଜତି କରିଥିଲା । କିନ୍ତୁ କାମ କରିବା ସତ୍ତ୍ବେ ମଧ୍ୟ ସମ୍ପୃକ୍ତ କମ୍ପାନୀ ମାଲିକ ନାବାଳିକା ମାନଙ୍କୁ ନିର୍ଯାତନା ଦେବା ସହ ଭୋକ ଉପାସରେ ବନ୍ଦ କୋଠରୀରେ ରଖୁଥିଲା । କୌଣସି ମତେ ସେଠାରୁ 10 ଜଣ ନାବାଳିକା ନିଜ ଗାଁକୁ ଲୁଚି ପଳାଇ ଆସିବା ପରେ ପରିବାର ଲୋକଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ ।
ପରେ ଜିଲ୍ଲାପାଳଙ୍କ ଦ୍ୱରାସ୍ଥ ହୋଇ ନିର୍ଯାତନାର ଶିକାର ହୋଇଥିବା ସମସ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି । ଏହାସହ ସମସ୍ତ ନାବାଳିକା ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ସହ ପାଠ ପଢିବା ପାଇଁ ସୁଯୋଗ ଯୋଗାଇବା ପାଇଁ ମଧ୍ୟ ଦାବି କରିଛନ୍ତି । ତେବେ ପ୍ରଶାସନ ଅନ୍ୟ ନାବାଳିକା ମାନଙ୍କୁ ଉଦ୍ଧାର କରିବା ପାଇଁ କଣ ପଦକ୍ଷେପ ଗ୍ରହଣ କରିଛି ତାହା ଦେଖିବାକୁ ବାକି ରହିଲା ।
ଏହା ମଧ୍ୟ ପଢନ୍ତୁ-ଓଡିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ରହଣି ସ୍ଥଳରେ ଭଦ୍ରକ ଷ୍ଟେସନ ସାମିଲ
ତେବେ ନିଜ ରାଜ୍ୟରେ କାମ ନପାଇବାରୁ ଅନ୍ୟ ରାଜ୍ୟକୁ ଯାଇ ଦାଦନ ପାଲଟି ଯାଉଛନ୍ତି କଲାହାଣ୍ଡି ଜିଲ୍ଲାର ଅନେକ ଲୋକ। କେତେବେଳେ କାହାର ମୃତଦେହ ଫେରୁଛି ତ ପୁଣି କିଏ ବିକଳାଙ୍ଗ ହୋଇ ଫେରୁଛି । ଆଉ କିଏ ବର୍ଷ ବର୍ଷ ଧରି ନିଖୋଜ ହୋଇଯାଉଛି। ସରକାର ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।
ଇଟିଭି ଭାରତ, କଳାହାଣ୍ଡି